ଯଥାକାଶସ୍ଥିତୋ ନିତ୍ୟଂ ବାୟୁଃ ସର୍ବତ୍ରଗୋ ମହାନ୍ ।
ତଥା ସର୍ବାଣି ଭୂତାନି ମତ୍ସ୍ଥାନୀତ୍ୟୁପଧାରୟ ।।୬।।
ଯଥା - ଯେପରି ଭାବରେ; ଆକାଶ-ସ୍ଥିତଃ - ଆକାଶରେ ସ୍ଥିତ; ନିତ୍ୟଂ - ସର୍ବଦା ବାୟୁଃ - ବାୟୁ; ସର୍ବତ୍ର ଗଃ - ସର୍ବତ୍ର ପ୍ରବାହମାନ; ମହାନ୍ - ମହାନ; ତଥା - ସେହିପରି; ସର୍ବାଣି ଭୂତାନି- ସମସ୍ତ ଜୀବ; ମତ୍-ସ୍ଥାନି - ମୋ’ଠାରେ ଅବସ୍ଥିତ; ଇତି - ଏହିପରି; ଉପଧାରୟ - ବୁଝିବାକୁ ଚେଷ୍ଟାକର ।
BG 9.6: ପ୍ରବଳ ପରାକ୍ରମୀ ବାୟୁ ସର୍ବତ୍ର ପ୍ରବାହିତ ହୋଇ ମଧ୍ୟ ଯେପରି ଆକାଶରେ ସ୍ଥିତ ରହିଥାଏ, ସେହିପରି ଜୀବସମୁଦାୟ ମୋ ଠାରେ ସ୍ଥିତ ଅଟନ୍ତି ।
ଯଥାକାଶସ୍ଥିତୋ ନିତ୍ୟଂ ବାୟୁଃ ସର୍ବତ୍ରଗୋ ମହାନ୍ ।
ତଥା ସର୍ବାଣି ଭୂତାନି ମତ୍ସ୍ଥାନୀତ୍ୟୁପଧାରୟ ।।୬।।
ପ୍ରବଳ ପରାକ୍ରମୀ ବାୟୁ ସର୍ବତ୍ର ପ୍ରବାହିତ ହୋଇ ମଧ୍ୟ ଯେପରି ଆକାଶରେ ସ୍ଥିତ ରହିଥାଏ, ସେହିପରି ଜୀବସମୁଦାୟ ମୋ ଠାରେ ସ୍ଥିତ ଅଟନ୍ତି ।
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ଚତୁର୍ଥ ଠାରୁ ଷଷ୍ଠ ଶ୍ଲୋକ ମଧ୍ୟରେ ଶ୍ରୀକୃଷ୍ଣ ‘ମତ୍ସ୍ଥାନି’ ଶବ୍ଦଟି ତିନିଥର ବ୍ୟବହାର କରିଛନ୍ତି । ତା’ର ଅର୍ଥ ସମସ୍ତ ପ୍ରାଣୀ ତାଙ୍କଠାରେ ଅବସ୍ଥାନ କରନ୍ତି । ଦେହାନ୍ତରଣ ପ୍ରକ୍ରିୟାରେ ଯଦିଓ ସେମାନେ ଭିନ୍ନ ଭିନ୍ନ ଶରୀର ଧାରଣ କରିଥାଆନ୍ତି ଏବଂ ମାୟା ସହିତ ସମ୍ବନ୍ଧିତ ରହିଥାଆନ୍ତି, ତଥାପି ସେମାନଙ୍କୁୁ ଭଗବାନଙ୍କଠାରୁ ପୃଥକ୍ କରାଯାଇ ପାରିବ ନାହିଁ ।
ସଂସାର କିପରି ଭାବରେ ଭଗବାନଙ୍କଠାରେ ଅବସ୍ଥାନ କରିଥାଏ, ତାହା ବୁଝିବାକୁ କଷ୍ଟକର ହୋଇପାରେ । ଗ୍ରୀକ୍ ପୁରାଣରେ, ଆଟ୍ଲାସ୍ ପୃଥିବୀକୁ ଧାରଣ କରିଥିବାର ଚିତ୍ର ରହିଛି । ଗ୍ରୀକ୍ ଲୋକକଥାରେ, ଅଲମ୍ପସ୍ ପର୍ବତର ଦେବତା ମାନଙ୍କ ବିରୁଦ୍ଧରେ ସଂଗ୍ରାମରେ ଆଟ୍ଲାସ୍ ଟାଇଟାନ୍ଙ୍କ ସହିତ ଯୁଦ୍ଧ କରିଥିଲେ । ଦଣ୍ଡସ୍ୱରୂପ ତାଙ୍କୁ ଚିରକାଳ ପାଇଁ ପୃଥିବୀ ଓ ସ୍ୱର୍ଗକୁ ପିଠିରେ ଏବଂ ସେମାନଙ୍କୁ ଅଲଗା କରୁଥିବା ବୃହତ୍ ପ୍ରାଚୀରକୁ କାନ୍ଧରେ ବହନ କରିବାକୁ ପଡିଥିଲା । କିନ୍ତୁ ଶ୍ରୀକୃଷ୍ଣ ଯେଉଁ “ସମସ୍ତ ଜୀବଙ୍କୁ ଧାରଣ କରିବା” କଥା କହୁଛନ୍ତି, ତାହାର ତାତ୍ପର୍ଯ୍ୟ ଏହା ନୁହେଁ । ସମଗ୍ର ବିଶ୍ୱବ୍ରହ୍ମାଣ୍ଡ ମହାକାଶରେ ସ୍ଥିତ ରହିଛି ଏବଂ ମହାକାଶ ଭଗବାନଙ୍କ ଶକ୍ତିରୁ ସୃଷ୍ଟ । ସୁତରାଂ ସମସ୍ତ ସୃଷ୍ଟି ତାଙ୍କଠାରେ ସ୍ଥିତ ବୋଲି କୁହାଯାଏ ।
ବର୍ତ୍ତମାନ ଭଗବାନ ଏକ ଉପମା ଦ୍ୱାରା ଅର୍ଜୁନଙ୍କୁ ତାହା ହୃଦୟଙ୍ଗମ କରାଉଛନ୍ତି । ଆକାଶ ବିନା ବାୟୁର କୌଣସି ସ୍ୱତନ୍ତ୍ର ସ୍ଥିିିତି ନାହିଁ । ଏହା ପ୍ରଚଣ୍ଡ ରୂପରେ ନିରନ୍ତର ପ୍ରବାହିତ ହେଉଥିଲେ ମଧ୍ୟ ଆକାଶରେ ଅବସ୍ଥାନ କରିଥାଏ । ସେହିପରି ଜୀବର ଭଗବାନଙ୍କ ବିନା ସ୍ୱତନ୍ତ୍ର ସ୍ଥିତି ନାହିଁ । ନଶ୍ୱର ଶରୀର ମାଧ୍ୟମରେ ସେମାନେ କାଳ, ସ୍ଥାନ ଏବଂ ଚେତନା ଭେଦରେ କେତେବେଳେ ଦ୍ରୁତ ବେଗରେ ତ ଆଉ କେତେବେଳେ ମନ୍ଥର ଗତିରେ ଘୂରି ବୁଲୁଥାଆନ୍ତି, ତଥାପି ସେମାନେ ସର୍ବଦା ଭଗବାନଙ୍କଠାରେ ସ୍ଥିତ ରହିଥାଆନ୍ତି ।
ଅନ୍ୟ ପରିପ୍ରେକ୍ଷୀରେ, ସୃଷ୍ଟିର ସବୁକିଛି ଭଗବାନଙ୍କର ଇଚ୍ଛାଧୀନ ଅଟେ । ଏହାର ସୃଷ୍ଟି, ପାଳନ ଏବଂ ବିଲୟ ଭଗବାନଙ୍କ ଇଚ୍ଛା ଅନୁସାରେ ହୋଇଥାଏ । ଏହି ଦୃଷ୍ଟିକୋଣରୁ ମଧ୍ୟ ସବୁକିଛି ତାଙ୍କଠାରେ ଅବସ୍ଥିତ ବୋଲି କୁହାଯାଇପାରିବ ।