ନ ତୁ ମାଂ ଶକ୍ୟସେ ଦ୍ରଷ୍ଟୁମନେନୈବ ସ୍ୱଚକ୍ଷୁଷା ।
ଦିବ୍ୟଂ ଦଦାମି ତେ ଚକ୍ଷୁଃ ପଶ୍ୟ ମେ ଯୋଗମୈଶ୍ୱରମ୍ ।।୮।।
ନ - କଦାପି ନୁହେଁ; ତୁ - କିନ୍ତୁ, ମାଂ - ମୋତେ; ଶକ୍ୟସେ - ସମର୍ଥ ହେବ; ଦ୍ରଷ୍ଟୁଂ - ଦେଖିବାକୁ; ଅନେନ - ଏହାଦ୍ୱାରା; ଏବ - ନିଶ୍ଚିତରୂପେ; ସ୍ୱଚକ୍ଷୁଷା - ତୁମର ନିଜ ଆଖିରେ; ଦିବ୍ୟଂ - ବିଶୁଦ୍ଧ; ଦଦାମି - ମୁଁ ଦେଉଛି; ତେ - ତୁମକୁ; ଚକ୍ଷୁଃ - ଚକ୍ଷୁ; ପଶ୍ୟ - ଦେଖ; ମେ - ମୋର; ଯୋଗଂ ଐଶ୍ୱରମ୍ = ଅଚିନ୍ତ୍ୟ ଯୋଗଶକ୍ତି ।
BG 11.8: କିନ୍ତୁ ମୋର ଏହି ବିଶ୍ୱରୂପର ଦର୍ଶନ ତୁମେ ନିଜ ମାୟିକ ଚକ୍ଷୁରେ କରିପାରିବ ନାହିଁ । ତେଣୁ ମୁଁ ତୁମକୁ ଦିବ୍ୟଦୃଷ୍ଟି ପ୍ରଦାନ କରୁଛି, ମୋ ବିଶାଳ ଐଶ୍ୱର୍ଯ୍ୟର ଅବଲୋକନ କର ।
ନ ତୁ ମାଂ ଶକ୍ୟସେ ଦ୍ରଷ୍ଟୁମନେନୈବ ସ୍ୱଚକ୍ଷୁଷା ।
ଦିବ୍ୟଂ ଦଦାମି ତେ ଚକ୍ଷୁଃ ପଶ୍ୟ ମେ ଯୋଗମୈଶ୍ୱରମ୍ ।।୮।।
କିନ୍ତୁ ମୋର ଏହି ବିଶ୍ୱରୂପର ଦର୍ଶନ ତୁମେ ନିଜ ମାୟିକ ଚକ୍ଷୁରେ କରିପାରିବ ନାହିଁ । ତେଣୁ ମୁଁ ତୁମକୁ ଦିବ୍ୟଦୃଷ୍ଟି ପ୍ରଦାନ କରୁଛି, ମୋ ବିଶାଳ …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ପରମ ପୁରୁଷ ଭଗବାନ ଯେତେବେଳେ ଧରାପୃଷ୍ଠରେ ଅବତରିତ ହୁଅନ୍ତି, ତାଙ୍କର ଦୁଇଟି ସ୍ୱରୂପ ଥାଏ- ଗୋଟିଏ ଭୌତିକ ସ୍ୱରୂପ ଯାହା ମାୟିକ ଚକ୍ଷୁରେ ଦେଖିହେବ, ଏବଂ ଅନ୍ୟଟି ଦିବ୍ୟ ସ୍ୱରୂପ ଯାହା କେବଳ ଦିବ୍ୟ ଦୃଷ୍ଟି ଦ୍ୱାରା ହିଁ ଦେଖିହେବ । ତେଣୁ ତାଙ୍କର ଅବତାର କାଳରେ, ସାଧାରଣ ମନୁଷ୍ୟ କେବଳ ତାଙ୍କ ମାୟିକ ଶରୀରର ଦର୍ଶନ କରିଥାନ୍ତି । ଭଗବାନଙ୍କର ଦିବ୍ୟ ସ୍ୱରୂପ ସେମାନଙ୍କ ମାୟିକ ଚକ୍ଷୁ ଦ୍ୱାରା ଗ୍ରାହ୍ୟ ନୁହେଁ । ସେଥିପାଇଁ ଭଗବାନ ଯେତେବେଳେ ଏହି ଧରାପୃଷ୍ଠରେ ଅବତାର ନିଅନ୍ତି, ସମସ୍ତେ ତାଙ୍କୁ ଚିହ୍ନିପାରନ୍ତି ନାହିଁ । ଶ୍ରୀକୃଷ୍ଣ ଏହି କଥା ଶ୍ଲୋକ ୯.୧୧ରେ ସୂଚିତ କରିଛନ୍ତି: “ମୁଁ ଯେତେବେଳେ ନିଜ ସାକାର ସ୍ୱରୂପରେ ଅବତାର ନିଏ, ଅଜ୍ଞ ବ୍ୟକ୍ତିମାନେ ମୋତେ ଚିହ୍ନିପାରନ୍ତି ନାହିଁ । ସମସ୍ତ ପ୍ରାଣୀଙ୍କର ଈଶ୍ୱର ଭାବରେ ମୋ ବ୍ୟକ୍ତିତ୍ୱର ଦିବ୍ୟତାକୁ ସେମାନେ ଜାଣିପାରନ୍ତି ନାହିଁ ।” ଲୋକେ ଯାହା ଦେଖନ୍ତି, ତାହା କେବଳ ତାଙ୍କର ଦିବ୍ୟ ଅବତାରର ମାୟିକ ସ୍ୱରୂପ ଅଟେ ।
ସେହି ସିଦ୍ଧାନ୍ତ ତାଙ୍କ ବିଶ୍ୱରୂପ ପାଇଁ ମଧ୍ୟ ପ୍ରଯୁଜ୍ୟ ଅଟେ । ପୂର୍ବର ଦୁଇଟି ଶ୍ଲୋକରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ତାଙ୍କର ଦିବ୍ୟ ସ୍ୱରୂପ ଦେଖିବାକୁ କହିଲେ । କିନ୍ତୁ ଅର୍ଜୁନ କିଛି ବି ଦେଖି ପାରିଲେ ନାହିଁ, କାରଣ ତାଙ୍କର ପ୍ରାକୃତ (ଭୌତିକ) ଚକ୍ଷୁ ଥିଲା । ପ୍ରାକୃତ ଚକ୍ଷୁ ତାଙ୍କର ବିଶ୍ୱରୂପ ଦେଖିବାକୁ ସମର୍ଥ ନୁହେଁ ଏବଂ ସାଧାରଣ ବୁଦ୍ଧିର ତାହାକୁ ବୁଝିବାର କ୍ଷମତା ନ ଥାଏ । ସୁତରାଂ, ଶ୍ରୀକୃଷ୍ଣ ବର୍ତ୍ତମାନ କହୁଛନ୍ତି ଯେ ସେ ଦିବ୍ୟ ଦୃଷ୍ଟି ପ୍ରଦାନ କରିବେ, ଯଦ୍ୱାରା ଅର୍ଜୁନ ତାଙ୍କ ଅନନ୍ତ ଐଶ୍ୱର୍ଯ୍ୟଯୁକ୍ତ ବିଶ୍ୱରୂପର ଦର୍ଶନ କରିପାରିବେ ।
ଦିବ୍ୟଦୃଷ୍ଟି ପ୍ରଦାନ କରିବା ଭଗବାନଙ୍କର ଏକ ବିଶେଷ କୃପା ଅଟେ । ଏହି କୃପାଦ୍ୱାରା ଭଗବାନ ତାଙ୍କର ଦିବ୍ୟ ଚକ୍ଷୁକୁ ଜୀବର ମାୟିକ ଚକ୍ଷୁ ସହିତ, ତାଙ୍କର ଦିବ୍ୟ ମନକୁ ଜୀବର ମାୟିକ ମନ ସହିତ ଏବଂ ତାଙ୍କର ଦିବ୍ୟ ବୁଦ୍ଧିକୁ ଜୀବର ମାୟିକ ବୁଦ୍ଧି ସହିତ ଯୋଡ଼ି ଦିଅନ୍ତି । ତାପରେ ଭଗବାନଙ୍କର ଦିବ୍ୟ ଇନ୍ଦ୍ରିୟ, ମନ ଓ ବୁଦ୍ଧି ସାହାଯ୍ୟରେ, ଜୀବ ତାଙ୍କର ଦିବ୍ୟ ସ୍ୱରୂପର ଦର୍ଶନ ଓ ଚିନ୍ତନ କରିପାରିବ ଏବଂ ତାହାକୁ ବୁଦ୍ଧିରେ ଧାରଣ କରିପାରିବ ।