Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 12, Verse 2

ଶ୍ରୀଭଗବାନୁବାଚ
ମୟାବେଶ୍ୟ ମନୋ ଯେ ମାଂ ନିତ୍ୟଯୁକ୍ତା ଉପାସତେ ।
ଶ୍ରଦ୍ଧୟା ପରୟୋପେତାସ୍ତେ ମେ ଯୁକ୍ତତମା ମତାଃ ।।୨।।

ଶ୍ରୀଭଗବାନ ଉବାଚ - ପରମପୁରୁଷ ଭଗବାନ କହିଲେ; ମୟି - ମୋ’ଠାରେ; ଆବେଶ୍ୟ-ସ୍ଥିରକରି; ମନଃ-ମନ; ଯେ -ଯିଏ; ମାଂ - ମୋତେ; ନିତ୍ୟ-ସର୍ବଦା; ଯୁକ୍ତଃ - ଯୁକ୍ତ ରହି; ଉପାସତେ - ଉପାସନା କରେ; ଶ୍ରଦ୍ଧୟା -ବିଶ୍ୱାସର ସହିତ; ପରୟା -ଶ୍ରେଷ୍ଠ (ପରମ); ଉପେତାଃ - ନିଯୁକ୍ତ ରହେ; ତେ -ସେମାନେ; ମେ- ମୋର; ଯୁକ୍ତତମାଃ - ସର୍ବୋତ୍ତମ; ମତାଃ - ମୁଁ ବିଚାର କରେ ।

Translation

BG 12.2: ଶ୍ରୀ ଭଗବାନ କହିଲେ: ଯେଉଁମାନେ ନିଜର ମନକୁ ମୋଠାରେ କେନ୍ଦ୍ରିତ କରନ୍ତି, ଏବଂ ଦୃଢ ଶ୍ରଦ୍ଧାଯୁକ୍ତ ହୋଇ ସର୍ବଦା ମୋର ଭକ୍ତି କରନ୍ତି, ମୁଁ ସେମାନଙ୍କୁ ଶ୍ରେଷ୍ଠ ଯୋଗୀ ଭାବରେ ବିବେଚନା କରିଥାଏ ।

Commentary

ସାମୀପ୍ୟର ମାତ୍ରାକୁ ନେଇ ଭଗବାନଙ୍କର ଅନୁଭବ ଭିନ୍ନ ଭିନ୍ନ ହୋଇଥାଏ । ମନେ କରନ୍ତୁ, ଆପଣ ଏକ ରେଳ ଲାଇନ୍ ନିକଟରେ ଛିଡ଼ା ହୋଇଛନ୍ତି । ଦୂରରେ ଏକ ଚଳନ୍ତା ଆଲୋକବତୀ ଆପଣଙ୍କ ଆଡ଼କୁ ଆସୁଥିବାର ଦେଖି ଆପଣ କହନ୍ତି, ଟ୍ରେନ୍ ଆସୁଛି । ତାପରେ ଯେତେବେଳେ ଟ୍ରେନ୍‌ଟି ଟିକିଏ ପାଖକୁ ଆସିଯାଏ, ଆପଣ ଅଲୋକବତୀ ସହିତ ଝାପ୍‌ସା ଏକ ଆକୃତି ଦେଖିବାକୁ ପାଆନ୍ତି । ଶେଷରେ ଯେତେବେଳେ ତାହା ଆସି ପ୍ଲାଟ୍‌ଫର୍ମରେ ଠିଆ ହୋଇଯାଏ, ଆପଣ ପୂରା ଟ୍ରେନ୍‌ଟି ସହିତ ସେଥିରେ ବସିଥିବା ଯାତ୍ରୀମାନଙ୍କୁ ମଧ୍ୟ ଦେଖିପାରନ୍ତି । ସେହି ଗୋଟିଏ ଟ୍ରେନ୍ - ଦୂରରୁ ତାହା ଆଲୋକବତୀଟିଏ ପରି ଜଣାପଡୁଥିଲା, କିଛି ପାଖକୁ ଆସିବା ପରେ ଆଲୋକବତୀ ସହିତ ତା’ର ଏକ ଅସ୍ପଷ୍ଟ ରୂପ ମଧ୍ୟ ଦେଖାଗଲା, ସମ୍ମୁଖକୁ ଆସିଯିବା ପରେ ତାହା ସ୍ପଷ୍ଟ ହୋଇଗଲା । ଟ୍ରେନ୍‌ଟି ଆପଣଙ୍କ ଦୃଷ୍ଟି ସମ୍ମୁଖରେ ଥିବା ଯୋଗୁଁ ତାହାର ଆକାର, ରଙ୍ଗ, ବଗି, ଦ୍ୱାର ଓ ଝରକା ଏବଂ ଯାତ୍ରୀମାନଙ୍କ ବିଷୟରେ ଆପଣଙ୍କର ଧାରଣା ସ୍ପଷ୍ଟ ହୋଇଗଲା ।

ସେହିପରି ଭଗବାନ ପରିପୂର୍ଣ୍ଣ ଏବଂ ଅନନ୍ତ ଶକ୍ତିଯୁକ୍ତ ଅଟନ୍ତି । ତାଙ୍କ ବ୍ୟକ୍ତିତ୍ୱରେ ତାଙ୍କର ଦିବ୍ୟ ନାମ, ରୂପ, ଲୀଳା, ଗୁଣ, ପରିକର ଏବଂ ଧାମ ଆଦି ସବୁକିଛି ରହିଛି । କିନ୍ତୁ ତାଙ୍କର ସନ୍ନିଧି ଅନୁସାରେ, ଆମେ ତାଙ୍କୁ ବ୍ରହ୍ମ (ସର୍ବବ୍ୟାପକ ନିରାକାର ସ୍ୱରୂପ), ପରମାତ୍ମା (ଯେଉଁ ରୂପରେ ସେ ସମସ୍ତଙ୍କ ହୃଦୟରେ ନିବାସ କରନ୍ତି), ଏବଂ ଭଗବାନ (ସାକାର ଶରୀରରେ ଅବତାର ନେଉଥିବା ରୂପ) ଭାବରେ ଅନୁଭବ କରିଥାଏ । ଶ୍ରୀମଦ୍ ଭାଗବତମ୍ କହେ:

ବଦନ୍ତି ତତ୍ ତତ୍ତ୍ୱ ବିଦସ୍ତତ୍ତ୍ୱଂ ଯଜ୍‌-ଜ୍ଞାନମଦ୍ୱୟମ୍ ।
ବ୍ରହ୍ମେତି ପରମାତ୍ମେତି ଭଗବାନ ଇତି ଶବ୍ଦ୍ୟତେ । । (୧.୨.୧୧)

“ତତ୍ତ୍ୱଦର୍ଶୀ ମହାପୁରୁଷମାନେ କହନ୍ତି, କେବଳ ଗୋଟିଏ ଅନ୍ତିମ ତତ୍ତ୍ୱ ଅଛି, ଯାହା ସଂସାରରେ ତିନୋଟି ସ୍ୱରୂପରେ ପ୍ରକଟିତ ହୋଇଥାଏ-ବ୍ରହ୍ମ, ପରମାତ୍ମା ଏବଂ ଭଗବାନ ।” ସେମାନେ ତିନୋଟି ପୃଥକ୍ ତତ୍ତ୍ୱ ନୁହନ୍ତି; ବରଂ, ସେମାନେ ଜଣେ ସର୍ବଶକ୍ତିମାନ ଭଗବାନଙ୍କର ଭିନ୍ନ ଭିନ୍ନ ସ୍ୱରୂପ ଅଟନ୍ତି । ତଥାପି ସେମାନଙ୍କର ଗୁଣ ପୃଥକ୍ ଅଟେ । ଯେପରି ଜଳ, ବାଷ୍ପ ଓ ବରଫ ସମସ୍ତେ ସେହି ଗୋଟିଏ ହାଇଡ୍ରୋଜେନ ଡ଼ାଇଅକ୍ସାଇଡ୍ (ଐଚ୍ଚୟକ୍ସକ୍ଟଶରଦ୍ଭ ୟସକ୍ଟଙ୍ଘସୟର) ଅଣୁରେ ଗଠିତ, କିନ୍ତୁ ତାଙ୍କର ଭୌତିକ ଗୁଣ ପୃଥକ୍ ଅଟେ । ଯଦି ଜଣେ ତୃଷାର୍ତ୍ତ ବ୍ୟକ୍ତିଙ୍କୁ ପାଣି ବଦଳରେ ଆମେ ବରଫ ଦେବା, ତାଙ୍କର ତୃଷ୍ଣା ମେଣ୍ଟିବ ନାହିଁ । ବରଫ ଓ ଜଳ ଉଭୟ ଗୋଟିଏ ବସ୍ତୁ ହୋଇଥିଲେ ମଧ୍ୟ ତାଙ୍କର ଭୌତିକ ଗୁଣ ଭିନ୍ନ ଅଟେ । ସେହିପରି ବ୍ରହ୍ମ, ପରମାତ୍ମା ଓ ଭଗବାନ ଅଦ୍ୱୟ ସତ୍ୟର ତିନୋଟି ସ୍ୱରୂପ ଅଟନ୍ତି, କିନ୍ତୁ ତାଙ୍କର ଗୁଣ ପୃଥକ ଅଟେ ।

ବ୍ରହ୍ମ ପରମେଶ୍ୱରଙ୍କର ସର୍ବବ୍ୟାପକ ସ୍ୱରୂପ ଅଟେ, ଯିଏ କି ସର୍ବତ୍ର ବିଦ୍ୟମାନ । ଶ୍ୱେତାଶ୍ୱତର ଉପନିଷଦ କହେ ।

ଏକୋ ଦେବଃ ସର୍ବଭୂତେଷୁ ଗୂଢ଼ଃ ସର୍ବବ୍ୟାପୀ ସର୍ବଭୂତାନ୍ତରାତ୍ମା ...........(୬.୧୧)

“ପରମ ତତ୍ତ୍ୱ ଜଣେ ହିଁ ଅଟନ୍ତି । ପ୍ରତ୍ୟେକ ବସ୍ତୁ ଏବଂ ଜୀବଙ୍କଠାରେ ସେ ବ୍ୟାପ୍ତ ରହନ୍ତି । ଈଶ୍ୱରଙ୍କର ଏହି ସର୍ବବ୍ୟାପକ ସ୍ୱରୂପକୁ ବ୍ରହ୍ମ କୁହାଯାଏ । ସେ ସତ୍ୟ, ଜ୍ଞାନ ଓ ଆନନ୍ଦରେ ପରିପୂର୍ଣ୍ଣ ଅଟନ୍ତି । କିନ୍ତୁ ଏହି ସ୍ୱରୂପରେ, ଭଗବାନ ତାଙ୍କର ଅନନ୍ତ ଗୁଣ, ଆକର୍ଷଣୀୟ ରୂପ ସୌନ୍ଦର୍ଯ୍ୟ ଏବଂ ମଧୁର ଲୀଳା ପ୍ରକାଶ କରନ୍ତି ନାହିଁ । ସେ ଏକ ଦିବ୍ୟ ଜ୍ୟୋତି ସଦୃଶ ନିର୍ଗୁଣ (ଗୁଣ ରହିତ), ନିର୍ବିଶେଷ (ସ୍ଥିତି ରହିତ) ଏବଂ ନିରାକାର (ରୂପ ରହିତ) ଅଟନ୍ତି ।

ଯେଉଁମାନେ ଜ୍ଞାନ ଯୋଗର ମାର୍ଗ ଅନୁସରଣ କରନ୍ତି, ସେମାନେ ଈଶ୍ୱରଙ୍କର ଏହି ସ୍ୱରୂପର ଉପାସନା କରନ୍ତି । ରେଳ ଧାରଣା ଉପରେ ଦୂରରୁ ଦେଖାଯାଉ ଥିବା ଆଲୋକରୁ ରେଳଗାଡିର ପ୍ରତୀତି ପରି, ଏହା ଈଶ୍ୱରଙ୍କର ଜ୍ୟୋତି ରୂପରେ ଦୂର ଅନୁଭବ ଅଟେ ।

ପରମାତ୍ମା ଈଶ୍ୱରଙ୍କର ସେହି ସ୍ୱରୂପ ଅଟେ, ଯିଏ ସମସ୍ତଙ୍କ ହୃଦୟରେ ନିବାସ କରିଥାଆନ୍ତି । ଶ୍ଲୋକ ୧୮.୬୧ ରେ ଶ୍ରୀକୃଷ୍ଣ କହିଛନ୍ତି ଯେ: “ହେ ଅର୍ଜୁନ! ପରମାତ୍ମା ସମସ୍ତ ପ୍ରାଣୀଙ୍କ ହୃଦୟରେ ନିବାସ କରନ୍ତି । ଜୀବର କର୍ମ ଅନୁସାରେ, ସେ ତାକୁ ଯନ୍ତ୍ରଚାଳିତ ଖେଳଣା ପରି ଘୂରାଇବାରେ ଲାଗିଥାଆନ୍ତି । ଆମ ହୃଦୟରେ ରହି, ଭଗବାନ ଆମର ପ୍ରତ୍ୟେକ ଚିନ୍ତନ ଓ କାର୍ଯ୍ୟକୁ ଲିପିବଦ୍ଧ କରନ୍ତି, ତାର ହିସାବ ରଖନ୍ତି ଏବଂ ସମୁଚିତ ସମୟରେ ତାର ଫଳ ପ୍ରଦାନ କରନ୍ତି । ଆମେ କ’ଣ କରିଥିଲେ, ତାହା ଭୁଲିଯାଇପାରେ କିନ୍ତୁ ଭଗବାନ ଭୁଲନ୍ତି ନାହିଁ । ଜନ୍ମ ହେବା ପରଠାରୁ ସେ ଆମର ପ୍ରତ୍ୟେକ ଚିନ୍ତନ, ବାକ୍ୟ ଏବଂ କାର୍ଯ୍ୟର ହିସାବ ରଖନ୍ତି । କେବଳ ଏହି ଜନ୍ମରେ ନୁହେଁ, ଅନନ୍ତ ଜନ୍ମରେ ଆମେ ଯେଉଁଠିକୁ ଯାଇଛେ ଈଶ୍ୱର ଆମ ସହିତ ଯାଇଛନ୍ତି । ସେ ଆମର ଏପରି ଜଣେ ବନ୍ଧୁ, ଯିଏକି ମୁହୂର୍ତ୍ତକ ପାଇଁ ମଧ୍ୟ ଆମକୁ ଛାଡ଼ି ଯାଆନ୍ତି ନାହିଁ । ସମସ୍ତଙ୍କ ହୃଦୟରେ ନିବାସ କରୁଥିବା ଈଶ୍ୱରଙ୍କର ଏହି ସ୍ୱରୂପକୁ ପରମାତ୍ମା କୁହାଯାଏ ।

ଯୋଗ ଦର୍ଶନରେ ମହର୍ଷି ପତଞ୍ଜଳିଙ୍କ ଦ୍ୱାରା ପ୍ରଣୀତ ଅଷ୍ଟାଙ୍ଗଯୋଗ ମାର୍ଗ, ପରମେଶ୍ୱରଙ୍କୁ ଏହି ପରମାତ୍ମା ରୂପରେ ଅନୁଭବ କରିବାର ପ୍ରୟାସ କରିଥାଏ । ଦୂରରୁ ଗୋଟିଏ ଆଲୋକ ପରି ଦେଖାଯାଉ ଥିବା ଟ୍ରେନ୍‌ଟି, ଟିକିଏ ପାଖକୁ ଆସିବା ପରେ ଏକ ଅସ୍ପଷ୍ଟ ଆକୃତି ଭାବରେ ଦେଖାଯିବା ପରି, ଏହା ପରମ ତତ୍ତ୍ୱର ଏକ ନିକଟତର ଅନୁଭବ ଅଟେ ।

ଭଗବାନ ପରମେଶ୍ୱରଙ୍କର ସେହି ସ୍ୱରୂପ ଅଟନ୍ତି, ଯିଏ ସାକାର ରୂପରେ ପ୍ରକଟ ହୋଇଥାଆନ୍ତି । ଶ୍ରୀମଦ୍ ଭାଗବତମ୍ କହେ:

କୃଷ୍ଣଂ ଏନଂ ଅବେହି ତ୍ୱଂ ଆତ୍ମାନଂ ଅଖିଲାତ୍ମନାମ୍ ।
ଜଗଦ୍ଧିତାୟ ସୋଽପ୍ୟତ୍ର ଦେହୀବାଭାତି ମାୟୟା । । (୧୦.୧୪.୫୫)

“ପରମେଶ୍ୱର, ଯିଏକି ସମସ୍ତ ଆତ୍ମାଙ୍କର ଆତ୍ମା ଅଟନ୍ତି, ସଂସାରର ମଙ୍ଗଳ ପାଇଁ ସେ ପୃଥିବୀ ପୃଷ୍ଠରେ ସାକାର ଶ୍ରୀକୃଷ୍ଣ ସ୍ୱରୂପରେ ଅବତରିତ ହୋଇଥିଲେ ।” ଏହି ସ୍ୱରୂପରେ, ଭଗବାନ ତାଙ୍କର ନାମ, ରୂପ, ଗୁଣ, ଧାମ, ଲୀଳା ଏବଂ ପରିକରଯୁକ୍ତ ପୂର୍ଣ୍ଣ ମାଧୁର୍ଯ୍ୟ ପ୍ରକଟିତ କରିଥାଆନ୍ତି । ଏହି ସବୁ ବୈଶିଷ୍ଟ୍ୟ ବ୍ରହ୍ମ ଏବଂ ପରମାତ୍ମାଙ୍କ ଠାରେ ମଧ୍ୟ ଥାଏ, କିନ୍ତୁ ତାହା ସୁପ୍ତ ଅବସ୍ଥାରେ ଥାଏ ଯେପରି ଦିଆସିଲି ଡବାର ଜ୍ୱଳନକାରୀ ପୃଷ୍ଠରେ ଘର୍ଷଣ ନ କରିବା ଯାଏଁ ଦିଆସିଲି କାଠିରେ ଅଗ୍ନି ସୁପ୍ତ ଅବସ୍ଥାରେ ଥାଏ । ଅତଏବ, ପରମେଶ୍ୱରଙ୍କର ସବୁ ଶକ୍ତି ଏବଂ କ୍ଷମତା ଯାହା ତାଙ୍କର ଅନ୍ୟ ସ୍ୱରୂପରେ ସୁପ୍ତ ଅବସ୍ଥାରେ ଥାଏ, ତାହା ଭଗବାନ ସ୍ୱରୂପରେ ପ୍ରଦର୍ଶିତ ହୋଇଥାଏ ।

ଭକ୍ତି ମାର୍ଗରେ ପରମେଶ୍ୱରଙ୍କର ପ୍ରାପ୍ତି ଭଗବାନ ସ୍ୱରୂପରେ ହୋଇଥାଏ । ପ୍ଲାଟ୍‌ଫର୍ମ ଉପରେ ନିଜ ସମୀପରେ ଟ୍ରେନ୍‌ଟିକୁ ଅନୁଭବ କରିବା ପରି, ଏହା ପରମ ତତ୍ତ୍ୱର ସର୍ବାଧିକ ନିକଟତମ ଅନୁଭବ ଅଟେ । ତେଣୁ ଶ୍ଲୋକ ୧୮.୫୫ ରେ ଶ୍ରୀକୃଷ୍ଣ କହୁଛନ୍ତି, “କେବଳ ଶ୍ରଦ୍ଧାଯୁକ୍ତ ଭକ୍ତି ଦ୍ୱାରା ହିଁ ମୋତେ, ପରମ ପୁରୁଷଙ୍କୁ, ମୋ ରୂପରେ ଜାଣିପାରିବ ।” ଏହିପରି ଭାବରେ ଅର୍ଜୁନଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଶ୍ରୀକୃଷ୍ଣ ସ୍ପଷ୍ଟ କରି ଦେଉଛନ୍ତି ଯେ ସେ ତାଙ୍କ ସାକାର ରୂପର ଉପାସକମାନଙ୍କୁ ଶ୍ରେଷ୍ଠ ବିବେଚନା କରନ୍ତି । 

Bookmark this Verse

Sign in to save your favorite verses.

Add a Note
Swami Mukundananda
12. ଭକ୍ତି ଯୋଗ
1 2 3 4 5 6 7 8 9 10 11 12 13 14 15 16 17 18 19 20

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!