Contact: +91 844 894 1008
bgwebsite_logo
Bhagavad Gita
The Song of God

Chapter 16: ଦୈବାସୁର ସମ୍ପଦ ବିଭାଗ ଯୋଗ

ଦୈବାସୁର ସମ୍ପଦ ବିଭାଗ ଯୋଗ

ଏହି ଅଧ୍ୟାୟରେ ଶ୍ରୀକୃଷ୍ଣ ମନୁଷ୍ୟର ଦୁଇ ପ୍ରକାର ସ୍ୱଭାବ ବିଷୟରେ ବର୍ଣ୍ଣନା କରିଛନ୍ତି - ସାଧୁ ସ୍ୱଭାବ ଏବଂ ଆସୁରିକ ସ୍ୱଭାବ । ଶାସ୍ତ୍ର ଉପଦେଶ ପାଳନ, ସତ୍ତ୍ୱ ଗୁଣର ବିକାଶ, ଆଧ୍ୟାତ୍ମିକ ସାଧନା ଏବଂ ଅନ୍ତଃକରଣ ଶୁଦ୍ଧି ଦ୍ୱାରା ସାଧୁ ସ୍ୱଭାବ ଉତ୍ପନ୍ନ ହୋଇଥାଏ । ଏହା ଦୈବୀ ସମ୍ପତ୍ତି ବା ଭଗବଦୀୟ ଗୁଣର ବିକାଶ କରେ ଏବଂ ପରିଣାମତଃ ଭଗବତ୍ ପ୍ରାପ୍ତି କରାଇ ଥାଏ । ଏହାର ବିପରୀତ ଆସୁରିକ ସ୍ୱଭାବ ଅଟେ । ଯାହା ରଜୋଗୁଣ ଓ ଅଜ୍ଞାନର ସଂସ୍ପର୍ଶରେ ଆସି ତଥା ଭୌତିକ ଦୃଷ୍ଟିକୋଣ ପୋଷଣ କରିବା ଦ୍ୱାରା ଉତ୍ପନ୍ନ ହୋଇଥାଏ । ଏହା ବ୍ୟକ୍ତିର ବ୍ୟକ୍ତିତ୍ୱରେ ଅନୈତିକ ସ୍ୱଭାବ ବୃଦ୍ଧି କରାଏ ଏବଂ ସର୍ବଶେଷରେ ଆତ୍ମାକୁ ନର୍କଗାମୀ କରାଏ ।

ଅଧ୍ୟାୟଟି ଦ୍ୱୈବୀଗୁଣର ଅଧିକାରୀ ସାଧୁ ସ୍ୱଭାବର ବର୍ଣ୍ଣନା ସହ ଆରମ୍ଭ ହୋଇଛି । ତାପରେ ଆସୁରିକ ସ୍ୱଭାବର ବର୍ଣ୍ଣନା ହୋଇଛି, ଯାହାର ପରିତ୍ୟାଗ ନିଷ୍ଠାପୂର୍ବକ କରାଯିବା ଉଚିତ୍‌, କାରଣ ସେଗୁଡ଼ିକ ଜୀବକୁ ଅଜ୍ଞାନତା ଏବଂ ଜୀବନ ଓ ମୃତ୍ୟୁର ସଂସାରକୁ ଟାଣିନିଅନ୍ତି । ଅଧ୍ୟାୟର ପରିସମାପ୍ତି କରିବାକୁ ଯାଇ ଶ୍ରୀକୃଷ୍ଣ କହୁଛନ୍ତି ଯେ କ’ଣ କରାଯିବା ଉଚିତ ଏବଂ କ’ଣ କରାଯିବା ଉଚିତ ନୁହେଁ, ଏ ବିଷୟରେ ସମସ୍ତ ଶାସ୍ତ୍ର ଆମ ନିର୍ଣ୍ଣୟର ଅନ୍ତିମ ଅଧିକାରୀ ହେବା ଉଚିତ ଏବଂ ଆମେ ଶାସ୍ତ୍ରଗୁଡ଼ିକର ଉପଦେଶ ମାନି, ସେହି ଅନୁସାରେ ସଂସାରରେ କର୍ମ କରିବା ଉଚିତ୍ ।

Bhagavad Gita 16.1 - 16.3 View Commentary » View »

ଶ୍ରୀ ଭଗବାନ କହିଲେ: ହେ ଭରତ ଶ୍ରେଷ୍ଠ! ଏହି ଗୁଡ଼ିକ ଦୈବୀଗୁଣର ଅଧିକାରୀ ବ୍ୟକ୍ତିଙ୍କର ସାଧୁ ସ୍ୱଭାବ ଅଟେ- ନିର୍ଭୀକତା, ମନର ପବିତ୍ରତା, ଆଧ୍ୟାତ୍ମିକ ଜ୍ଞାନରେ ସ୍ଥିରତା, ଦାନ, ଇନ୍ଦ୍ରିୟ ବଶୀକରଣ, ଯଜ୍ଞ ସମ୍ପାଦନ, ପବିତ୍ର ପୁସ୍ତକ ପଠନ, ସଂଯମ, ସ୍ପଷ୍ଟବାଦୀ, ଅହିଂସା, ସତ୍ୟବାଦୀ, କ୍ରୋଧରହିତ, ତ୍ୟାଗ, ଶାନ୍ତିପ୍ରିୟ, ପରଦୋଷ ଦର୍ଶନ ନ କରିବା, ସମସ୍ତ ପ୍ରାଣୀଙ୍କ ପ୍ରତି ଦୟା, ଲୋଭହୀନ, ଭଦ୍ର, ଶାଳୀନ, ସ୍ଥିର ମତି, ସାହସୀ, କ୍ଷମାଶୀଳ, ସହନଶୀଳ, ପରିଷ୍କାର ପରିଚ୍ଛନ୍ନ, କାହା ପ୍ରତି ଶତ୍ରୁତା ଆଚରଣ ନ କରିବା ଏବଂ ଅହଂକାର ରହିତ ହେବା ।

Bhagavad Gita 16.4 View Commentary » View »

ହେ ପାର୍ଥ! ଆସୁରିକ ପ୍ରବୃତ୍ତି ଯୁକ୍ତ ବ୍ୟକ୍ତିମାନଙ୍କର ସ୍ୱଭାବଗୁଡ଼ିକ ହେଉଛି, କପଟାଚାର, ଅହଂକାର, ଆତ୍ମ-ଗର୍ବ, କ୍ରୋଧ, ନିଷ୍ଠୁରତା ଏବଂ ଅଜ୍ଞାନତା ।

Bhagavad Gita 16.5 View Commentary » View »

ଦିବ୍ୟଗୁଣ ମୁକ୍ତି ପ୍ରଦାନ କରୁଥିବାବେଳେ, ଆସୁରିକ ଗୁଣଗୁଡ଼ିକ ବନ୍ଧନର ଏକ କ୍ରମାଗତ ଭାଗ୍ୟର କାରଣ ହୋଇଥାନ୍ତି । ହେ ଅର୍ଜୁନ! ଦୁଃଖ କର ନାହିଁ, ତୁମେ ଧାର୍ମିକ ଗୁଣଯୁକ୍ତ ହୋଇ ଜନ୍ମ ଗ୍ରହଣ କରିଛ ।

Bhagavad Gita 16.6 View Commentary » View »

ସଂସାରରେ ଦୁଇ ପ୍ରକାର ବ୍ୟକ୍ତି ଅଛନ୍ତି - ଯେଉଁମାନେ ଦିବ୍ୟ ଗୁଣସମ୍ପନ୍ନ ହୋଇଥାନ୍ତି ଏବଂ ଯେଉଁମାନେ ଆସୁରିକ ଗୁଣ ଧାରଣ କରିଥାନ୍ତି । ହେ ଅର୍ଜୁନ! ମୁଁ ଦିବ୍ୟଗୁଣ ସମ୍ବନ୍ଧରେ ବିସ୍ତୃତ ଭାବରେ ବର୍ଣ୍ଣନା କରି ସାରିଛି । ବର୍ତ୍ତମାନ ମୋଠାରୁ ଆସୁରିକ ଗୁଣ ସମ୍ପର୍କରେ ଶୁଣ ।

Bhagavad Gita 16.7 View Commentary » View »

କେଉଁ କର୍ମଟି ଉଚିତ ଏବଂ କେଉଁ କର୍ମ ଅନୁଚିତ, ତାହା ଆସୁରିକ ସ୍ୱଭାବର ବ୍ୟକ୍ତିମାନେ ଜାଣିପାରନ୍ତି ନାହିଁ । ତେଣୁ ସେମାନଙ୍କ ଠାରେ ଶୁଦ୍ଧତା, ଉତ୍ତମ ଆଚରଣ କିମ୍ବା ସତ୍ୟବାଦିତା ଆଦି ଗୁଣ ଦେଖାଯାଏ ନାହିଁ ।

Bhagavad Gita 16.8 View Commentary » View »

ସେମାନେ କହନ୍ତି, “ସଂସାର ସତ୍ୟ ରହିତ ଅଟେ । ଏହାର ଆଧାର (ଧାର୍ମିକ) କିଛି ନାହିଁ ଏବଂ ଏହା ଈଶ୍ୱରହୀନ (ଯିଏ ସୃଷ୍ଟି କରନ୍ତି ଏବଂ ନିୟନ୍ତ୍ରଣ କରନ୍ତି) ଅଟେ । ଏହା ଦୁଇ ଲିଙ୍ଗର ସଂଯୋଗରେ ସୃଷ୍ଟି ହୋଇଛି ଏବଂ ଯୌନ ସନ୍ତୋଷ ଅତିରିକ୍ତ ଏହାର ଅନ୍ୟ କୌଣସି ଉଦ୍ଦେଶ୍ୟ ନାହିଁ ।

Bhagavad Gita 16.9 View Commentary » View »

ଏପରି ସିଦ୍ଧାନ୍ତକୁ ଦୃଢ଼ ଭାବରେ ଗ୍ରହଣ କରି ଏହି ବିପଥଗାମୀ ଜୀବ, ସେମାନଙ୍କର ସ୍ୱଳ୍ପ ବୁଦ୍ଧି ଏବଂ ନିଷ୍ଠୁର କର୍ମ ଦ୍ୱାରା, ସଂସାରର ବିଧ୍ୱଂସକରୀ ଶତ୍ରୁ ରୂପରେ ଦେଖାଦିଅନ୍ତି ।

Bhagavad Gita 16.10 View Commentary » View »

ଆସୁରିକ ସ୍ୱଭାବଯୁକ୍ତ ବ୍ୟକ୍ତିମାନେ, ଅତୃପ୍ତ ଯୌନ-କାମନା, ପୂର୍ଣ୍ଣ କପଟତା, ଗର୍ବ ଏବଂ ଅହଂକାର ମନୋଭାବ ପୋଷଣ କରି, ତାଙ୍କର ଅସତ୍ୟ ମତବାଦକୁ ଦୃଢ଼ଭାବେ ଧରି ରଖିଥାନ୍ତି । ଏହିପରି ବିଭ୍ରାନ୍ତ ହୋଇ ସେମାନେ ଅସ୍ଥାୟୀ ପଦାର୍ଥ ପ୍ରତି ଆକର୍ଷିତ ହୋଇଥାନ୍ତି ଏବଂ ତ୍ରୁଟିଯୁକ୍ତ ସଂକଳ୍ପ ନେଇ କାର୍ଯ୍ୟ କରିଥାନ୍ତି ।

Bhagavad Gita 16.11 View Commentary » View »

ସେମାନେ ଅନ୍ତହୀନ ଉତ୍କଣ୍ଠାରେ ଛନ୍ଦି ହୋଇଥାନ୍ତି, ଯାହା ମୃତ୍ୟୁରେ ହିଁ ସମାପ୍ତ ହୋଇଥାଏ । ତଥାପି ସେମାନେ ସମ୍ପୂର୍ଣ୍ଣ ଆଶ୍ୱସ୍ତ ରହିଥାନ୍ତି ଯେ କାମନା ପୂର୍ଣ୍ଣ କରିବା ଏବଂ ଧନ ସମ୍ପଦ ସଂଗ୍ରହ କରିବା ଜୀବନର ସର୍ବୋଚ୍ଚ ଲକ୍ଷ୍ୟ ଅଟେ ।

Bhagavad Gita 16.12 View Commentary » View »

ଶତାଧିକ କାମନାର ଦାସ ହୋଇ, କାମ ଏବଂ କ୍ରୋଧ ଦ୍ୱାରା ପ୍ରେରିତ ହୋଇ, ସେମାନେ ଅସାଧୁ ଉପାୟରେ ସମ୍ପତ୍ତି ଏକତ୍ର କରିବାରେ ଚେଷ୍ଟାରତ ରହନ୍ତି, ଯାହା କେବଳ ତାଙ୍କର ଇନ୍ଦ୍ରିୟମାନଙ୍କର ସନ୍ତୋଷ ବିଧାନ ପାଇଁ ହୋଇଥାଏ ।

Bhagavad Gita 16.13 - 16.15 View Commentary » View »

ଆସୁରିକ ପ୍ରବୃତ୍ତିର ବ୍ୟକ୍ତିମାନେ ଚିନ୍ତା କରନ୍ତି, “ମୁଁ ଆଜି ଯଥେଷ୍ଟ ଧନ ଅର୍ଜନ କରିଛି ଏବଂ ମୁଁ ଏବେ ମୋର କାମନା ପୂର୍ଣ୍ଣ କରିବି । ଏହା ମୋର ଅଟେ ଏବଂ ଆସନ୍ତାକାଲି ମୋର ଆହୁରି ଅଧିକ ହେବ । ସେ ଶତ୍ରୁକୁ ମୁଁ ପରାହତ କରିଛି, ଅନ୍ୟମାନଙ୍କୁ ମଧ୍ୟ ମୁଁ ନିଃଶେଷ କରିଦେବି! ମୁଁ ସ୍ୱୟଂ ଭଗବାନଙ୍କ ସଦୃଶ ଅଟେ, ମୁଁ ଭୋକ୍ତା ଅଟେ, ମୁଁ ଶକ୍ତିଶାଳୀ ଏବଂ ମୁଁ ସୁଖୀ ଅଟେ । ମୁଁ ଧନବାନ ଏବଂ ମୋର ଜ୍ଞାତି କୁଟୁମ୍ବମାନେ ମଧ୍ୟ ସମ୍ଭ୍ରାନ୍ତ ଅଟନ୍ତି । ମୋ ସହିତ କିଏ ସମାନ ହେବ? ମୁଁ ଯଜ୍ଞ କରିବି (ସ୍ୱର୍ଗର ଦେବତାମାନଙ୍କ ଉଦ୍ଦେଶ୍ୟରେ); ମୁଁ ଭିକ୍ଷା ଦେବି; ମୁଁ ଉପଭୋଗ କରିବି ।”- ଏତାଦୃଶ ଅଜ୍ଞାନଦ୍ୱାରା ସେମାନେ ଭ୍ରମିତ ହୋଇଥାନ୍ତି ।

Bhagavad Gita 16.16 View Commentary » View »

ଏହିପରି କଳ୍ପନାଶୀଳତା ଦ୍ୱାରା ଆବିଷ୍ଟ ଏବଂ ଦିଗଭ୍ରଷ୍ଟ ହୋଇ, ମୋହ ଜାଲରେ ଛନ୍ଦି ହୋଇ ଏବଂ ଇନ୍ଦ୍ରିୟ ସୁଖ ସମ୍ଭୋଗରେ ନିଶାସକ୍ତ ହୋଇ, ସେମାନେ ଅନ୍ଧକାରତମ ନର୍କରେ ପତିତ ହୁଅନ୍ତି ।

Bhagavad Gita 16.17 View Commentary » View »

ଏହିପରି ଆତ୍ମାଭିମାନୀ ଏବଂ ଦାମ୍ଭିକ ବ୍ୟକ୍ତିମାନେ ଧନର ଗର୍ବରେ ଉଦ୍ଧତ ହୋଇ, ଶାସ୍ତ୍ର ବିଧି ଅନୁସରଣ ନ କରି, କେବଳ ନାମକୁ ମାତ୍ର ଆଡ଼ମ୍ବରପୂର୍ଣ୍ଣ ଯଜ୍ଞର ଅନୁଷ୍ଠାନ କରିଥାନ୍ତି ।

Bhagavad Gita 16.18 View Commentary » View »

ଆତ୍ମ-ଗର୍ବ, ଦମ୍ଭ, ଅହଂକାର, କାମନା ଏବଂ କ୍ରୋଧ ଦ୍ୱାରା ଅନ୍ଧ ହୋଇ, ଆସୁରିକ ସ୍ୱଭାବର ବ୍ୟକ୍ତିମାନେ ନିଜ ଶରୀରରେ ତଥା ଅନ୍ୟମାନଙ୍କ ଶରୀରରେ ମୋର ଉପସ୍ଥିତିକୁ ଅପମାନିତ କରିଥାନ୍ତି ।

Bhagavad Gita 16.19 - 16.20 View Commentary » View »

ଏହିପରି ନିଷ୍ଠୁର ଓ ଘୃଣ୍ୟ, ସଂସାରର ନୀଚ ଏବଂ ପାପଯୁକ୍ତ ମନୁଷ୍ୟମାନଙ୍କୁ ମୁଁ ଭୌତିକ ଜଗତର ଜନ୍ମ ଓ ମୃତ୍ୟୁ ଚକ୍ରରେ ବାରମ୍ବାର ଆସୁରିକ ଗର୍ଭରେ ନିକ୍ଷେପ କରିଥାଏ । ଏହି ମୂଢ଼ ଜୀବଗଣ ବାରମ୍ବାର ଆସୁରିକ ଯୋନିରେ ଜନ୍ମ ଗ୍ରହଣ କରନ୍ତି । ହେ ଅର୍ଜୁନ! ମୋତେ ପ୍ରାପ୍ତ କରିବାରେ ବିଫଳ ହୋଇ, ଧୀରେ ଧୀରେ ସେମାନେ ନିକୃଷ୍ଟତମ ଯୋନିକୁ ପତିତ ହୁଅନ୍ତି ।

Bhagavad Gita 16.21 View Commentary » View »

ଜୀବକୁ ଆତ୍ମ-ବିନାଶର ନର୍କକୁ ନେଇଯିବା ପାଇଁ ତିନୋଟି ଦ୍ୱାର ରହିଛି - କାମ, କ୍ରୋଧ ଏବଂ ଲୋଭ । ତେଣୁ ସମସ୍ତେ ସେହି ତିନୋଟିକୁ ତ୍ୟାଗ କରିବା ଉଚିତ ।

Bhagavad Gita 16.22 View Commentary » View »

ଯେଉଁମାନେ ଅନ୍ଧକାରର ଏହି ତିନୋଟି ଦ୍ୱାରରୁ ମୁକ୍ତ ହୋଇଯାଆନ୍ତି, ସେମାନେ ଆତ୍ମାର କଲ୍ୟାଣ ପାଇଁ ଉଦ୍ୟମ କରନ୍ତି ଏବଂ ତଦ୍ୱାରା ଚରମ ଲକ୍ଷ୍ୟ ପ୍ରାପ୍ତ କରନ୍ତି ।

Bhagavad Gita 16.23 View Commentary » View »

ଯେଉଁମାନେ କାମନାର ପ୍ରେରଣାରେ କର୍ମ କରନ୍ତି ତଥା ଶାସ୍ତ୍ରର ନିର୍ଦ୍ଦେଶକୁ ଅବଜ୍ଞା କରନ୍ତି, ଜୀବନରେ ସେମାନେ କୌଣସି ସିଦ୍ଧି, ସୁଖ କିମ୍ବା ନିଜର ଚରମ ଲକ୍ଷ୍ୟକୁ ପ୍ରାପ୍ତ କରି ପାରନ୍ତି ନାହିଁ ।

Bhagavad Gita 16.24 View Commentary » View »

ଅତଏବ, କ’ଣ କରିବା ଉଚିତ ଏବଂ କ’ଣ କରିବା ଉଚିତ ନୁହେଁ, ତାହା ନିର୍ଣ୍ଣୟ କରିବା ପାଇଁ ଶାସ୍ତ୍ରମାନଙ୍କର ପ୍ରାଧିକରଣକୁ ସ୍ୱୀକାର କର । ଶାସ୍ତ୍ରର ନିୟମ ଏବଂ ନିର୍ଦ୍ଦେଶକୁ ବୁଝି ତଦନୁଯାୟୀ କର୍ମ କର ।
Swami Mukundananda
16. ଦୈବାସୁର ସମ୍ପଦ ବିଭାଗ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!