Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 2, Verse 47

କର୍ମଣ୍ୟେବାଧିକାରସ୍ତେ ମା ଫଳେଷୁ କଦାଚନ ।
ମା କର୍ମଫଳହେତୁର୍ଭୂର୍ମା ତେ ସଙ୍ଗୋଽସ୍ତ୍ୱକର୍ମଣି ।।୪୭।।

କର୍ମଣି-ବିହିତ କର୍ମରେ; ଏବ-କେବଳ; ଅଧିକାରଃ-ଅଧିକାର; ତେ-ତୁମର; ମା-ନୁହେଁ; ଫଳେଷୁ-ଫଳରେ; କଦାଚନ-କେବେହେଲେ; ମା-ନୁହେଁ; କର୍ମଫଳ-କର୍ମଫଳରେ; ହେତୁଃ-କାରଣ; ଭୂଃ-ହୁଅ; ମା-ନୁହଁ; ତେ-ତୁମର; ସଙ୍ଗ-ଆସକ୍ତି ବା ସଙ୍ଗ; ଅସ୍ତୁ- ହେଉ; ଅକର୍ମଣି-ନୈଷ୍କର୍ମରେ ।

Translation

BG 2.47: ବେଦବିହିତ କର୍ମ କରିବାରେ ତୁମର ଅଧିକାର ଅଛି, କିନ୍ତୁ କର୍ମର ଫଳରେ ତୁମର ଅଧିକାର ନାହିଁ । ନିଜକୁ କେବେ ବି ତୁମର କର୍ମ ଫଳର କାରଣ ଭାବେ ବିବେଚନା କରନାହିଁ, ବା କର୍ତ୍ତବ୍ୟହୀନତା ପ୍ରତି ଆକୃଷ୍ଟ ହୁଅନାହିଁ ।

Commentary

ଭଗବଦ୍ ଗୀତାର ଏହି ଶ୍ଲୋକ ଅତ୍ୟନ୍ତ ଲୋକପ୍ରିୟ ଅଟେ, ଏପରିକି ଭାରତର ଅନେକ ସ୍କୁଲର ଛାତ୍ରମାନେ ମଧ୍ୟ ଏହି ଶ୍ଲୋକ ଜାଣିଛନ୍ତି । ଏହା କର୍ମ କରିବାର ଅତ୍ୟନ୍ତ ଗଭୀର ଅନୁଚିନ୍ତା ବ୍ୟକ୍ତ କରେ ଏବଂ ଅଧିକାଂଶତଃ ଯେଉଁଠାରେ ବି କର୍ମଯୋଗ ବିଷୟରେ ଆଲୋଚନା ହୋଇଥାଏ ଏହାକୁ ଉଦ୍ଧୃତ କରାଯାଇଥାଏ । ଏହି ଶ୍ଲୋକ କର୍ମର ବିଜ୍ଞାନ ସମ୍ବନ୍ଧରେ ଚାରିଗୋଟି ନିର୍ଦ୍ଦେଶ ଦେଇଥାଏ: ୧) ତୁମର କର୍ତ୍ତବ୍ୟ କର, କିନ୍ତୁ ଏହାର ଫଳ ପ୍ରତି ଚିନ୍ତିତ ହୁଅନାହିଁ । ୨) କର୍ମର ଫଳ ତୁମର ଉପଭୋଗ ପାଇଁ ଉଦ୍ଦିଷ୍ଟ ନୁହେଁ । ୩) କର୍ମ କରିବା ସମୟରେ କର୍ମର କର୍ତ୍ତା ଭାବରେ ଗର୍ବ ତ୍ୟାଗ କର । ୪) ଅକର୍ମଣ୍ୟ ଭାବ ପୋଷଣ କରନାହିଁ ।

ତୁମର କର୍ତ୍ତବ୍ୟ କର କିନ୍ତୁ ଏହାର ଫଳରେ ନିଜକୁ ସଂଶ୍ଳିଷ୍ଟ କରନାହିଁ । କର୍ମ କରିବାରେ ଆମର ଅଧିକାର ଅଛି, କିନ୍ତୁ କର୍ମର ଫଳ କେବଳ ଆମ ଉଦ୍ୟମ ଉପରେ ନିର୍ଭର କରେ ନାହିଁ । ଫଳାଫଳକୁ ଅନେକଗୁଡ଼ିଏ ଉପାଦାନର ସମାହାର ନିର୍ଦ୍ଧାରିତ କରିଥାଏ- ଆମର ଉଦ୍ୟମ, ଭାଗ୍ୟ (ପୁର୍ବଜନ୍ମର କର୍ମ), ଭଗବାନଙ୍କର ଇଚ୍ଛା, ଅନ୍ୟମାନଙ୍କର ଉଦ୍ୟମ, ସଂଶ୍ଳିଷ୍ଟଥିବା ସମସ୍ତ ବ୍ୟକ୍ତିଙ୍କ ସମ୍ମିଳିତ କର୍ମ, ସ୍ଥାନ ଓ ପରିସ୍ଥିତି (ଭାଗ୍ୟ ବଶତଃ) ଇତ୍ୟାଦି । ତେଣୁ ଆମେ ଯଦି ଫଳ ପ୍ରତି ଉତ୍‌କଣ୍ଠିତ ରହିବା, ଯେତେବେଳେ ବି ଫଳାଫଳ ଆମର ଆଶା ଅନୁରୂପ ହେବନାହିଁ ଆମେ ହତୋତ୍ସାହିତ ହୋଇପଡ଼ିବା । ତେଣୁ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଉପଦେଶ ଦେଉଛନ୍ତି ଯେ କର୍ମ ଫଳ ପ୍ରତି ଚିନ୍ତିତ ନ ହୋଇ କେବଳ କର୍ମରେ ନିଜର ଧ୍ୟାନକୁ କେନ୍ଦ୍ରିତ କର । ବାସ୍ତବରେ ଯେତେବେଳେ ଆମେ ଫଳଠାରୁ ନିଜର ଧ୍ୟାନ ହଟାଇ ନିଜର ଉଦ୍ୟମରେ ସମ୍ପୂର୍ଣ୍ଣ ଧ୍ୟାନ କେନ୍ଦ୍ରିତ କରିବାରେ ସକ୍ଷମ ହେଉ, ଫଳ ତା’ଠାରୁ ଅଧିକ ଉତ୍ତମ ହୋଇଥାଏ ।

ଏହାର ଏକ ବିନୋଦପୂର୍ଣ୍ଣ ସଂକ୍ଷିପ୍ତ ନାମ ଘଇଞଙ କ୍ଟକ୍ସ ଦ୍ଭକ୍ଟଗ୍ଧ ବଗ୍ଧଗ୍ଧବମଷରୟ ଗ୍ଧକ୍ଟ କ୍ଟଙ୍କଗ୍ଧମକ୍ଟଜ୍ଞର ଫଳ ସହିତ ଜଡ଼ିତ ନ ହେବା ଅଟେ । ଏହାର ପ୍ରୟୋଗ ଗଲ୍‌ଫ ଖେଳ ପରି ଏକ ସାମାନ୍ୟ ଦୈନନ୍ଦିନ କାର୍ଯ୍ୟରେ ଦେଖିବା । ଲୋକମାନେ ଯେତେବେଳେ ଗଲ୍‌ଫ ଖେଳନ୍ତି ସେମାନେ ପ୍ରାୟତଃ ନିଜର ଧ୍ୟାନ ଫଳରେ କେନ୍ଦ୍ରିତ କରିଥାନ୍ତି- ତାଙ୍କର ଅଙ୍କ କମ୍ ଅଛି ବା ଅଧିକ ଅଛି ଇତ୍ୟାଦି । ଯଦି ସେମାନେ କେବଳ ତାଙ୍କର କ୍ଷମତା ଅନୁସାରେ ସଟ୍ ମାରିବା ଉପରେ ଧ୍ୟାନ ଦିଅନ୍ତେ, ତାହେଲେ ଏହା ସେମାନେ ଖେଳିଥିବା ସମସ୍ତ ଖେଳଠାରୁ ଅଧିକ ଉପଭୋଗ୍ୟ ହୋଇଥାନ୍ତା । ସଟ୍ ମାରିବାରେ ପୂର୍ଣ୍ଣ ଧ୍ୟାନ ଦେବା ଯୋଗୁଁ ତାଙ୍କର ଖେଳଟି ଉଚ୍ଚକୋଟୀର ହୋଇଥାନ୍ତା ।

କର୍ମର ଫଳ ତୁମର ଉପଭୋଗ ପାଇଁ ଉଦ୍ଦିଷ୍ଟ ନୁହେଁ । କର୍ମ କରିବା ମନୁଷ୍ୟର ଏକ ସହଜାତ ସ୍ୱଭାବ ଅଟେ । ସଂସାରରେ ଜନ୍ମ ଗ୍ରହଣ କରି ଆମର ବିଭିନ୍ନ ପ୍ରକାରର କର୍ମ ରହିଛି ଯାହା କି ପାରିବାରିକ ସ୍ଥିତି, ସାମାଜିକ ସ୍ଥିତି, ବୃତ୍ତି ଇତ୍ୟାଦି ଦ୍ୱାରା ନିର୍ଦ୍ଧାରିତ ହୋଇଥାଏ । କର୍ତ୍ତବ୍ୟ କରିବା ସମୟରେ ଆମେ ମନେ ରଖିବା ଉଚିତ ଯେ, ଆମେ ଫଳର ଉପଭୋକ୍ତା ନୁହେଁ - ଫଳ ଭଗବାନଙ୍କ ସୁଖ ପାଇଁ ଉଦ୍ଦିଷ୍ଟ । ପ୍ରତ୍ୟେକ ଜୀବ ଭଗବାନଙ୍କର ଏକ କ୍ଷୁଦ୍ର ଅଂଶ ଅଟନ୍ତି (ଶ୍ଳୋକ୧୫.୭), ତେଣୁ ଆମର ସମସ୍ତ କର୍ମ ଦ୍ୱାରା ତାଙ୍କର ସେବା କରିବା ଆମର ସ୍ୱାଭାବିକ ଗୁଣ ଅଟେ ।

ଦାସ ଭୂତମିଦଂ ତସ୍ୟ ଜଗତ୍‌ସ୍ଥାବର ଜଙ୍ଗମମ୍‌
ଶ୍ରୀମନ୍ନାରାୟଣ ସ୍ୱାମୀ ଜଗତାନ୍‌ପ୍ରଭୁରୀଶ୍ୱରଃ । (ପଦ୍ମପୁରାଣ)

“ଭଗବାନ ସମସ୍ତ ସୃଷ୍ଟିର ନିୟନ୍ତା ଅଟନ୍ତି । ସମସ୍ତ ଚର-ଅଚର ଜୀବ ତାଙ୍କର ଦାସ ଅଟନ୍ତି ।” ବସ୍ତୁବାଦୀ ଚିନ୍ତାଧାରା ନିମ୍ନୋକ୍ତ ବିଚାର ଦ୍ୱାରା ନିରୂପିତ ହୋଇଥାଏ - “ମୋର ଯାହା ଅଛି ମୁଁ ତାର ମାଲିକ । ଏସବୁ ମୋର ଉପଭୋଗ ପାଇଁ ଉଦ୍ଦିଷ୍ଟ । ଏସବୁକୁ ବୃଦ୍ଧି କରିବା ଓ ଅଧିକ ଉପଭୋଗ କରିବାର ମୋର ଅଧିକାର ଅଛି ।” ଆଧ୍ୟାତ୍ମିକ ଚେତନା ଏହାର ବିପରୀତ ଅଟେ ଯାହା ଏହି ଚିନ୍ତାଧାରା ଦ୍ୱାରା ନିରୂପିତ ହୁଏ, “ସମଗ୍ର ସଂସାରର ମାଲିକ ଏବଂ ଭୋକ୍ତା ଭଗବାନ ଅଟନ୍ତି । ମୁଁ କେବଳ ତାଙ୍କର ଜଣେ ନିଷ୍କାମ ସେବକ ଅଟେ । ମୋ ପାଖରେ ଯାହାବି ଅଛି ସେ ସବୁକୁ ମୁଁ ଭଗବାନଙ୍କ ସେବାରେ ନିୟୋଜିତ କରିବା ଉଚିତ ।” ତଦନୁଯାୟୀ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ନିର୍ଦ୍ଦେଶ ଦେଉଛନ୍ତି ଯେ, ସେ ନିଜକୁ ତାଙ୍କର କର୍ମଫଳର ଭୋକ୍ତା ରୂପେ ଚିନ୍ତା କରନ୍ତୁ ନାହିଁ ।

କର୍ମ କରିବା ସମୟରେ ମଧ୍ୟ କର୍ତ୍ତା ଭାବରେ ଗର୍ବ ତ୍ୟାଗ କର । ଶ୍ରୀକୃଷ୍ଣ ଏହା ଇଚ୍ଛା କରୁଛନ୍ତି ଯେ ଅର୍ଜୁନ କତ୍ତୃତ୍ୱାଭିମାନ ବା କର୍ତ୍ତା ହେବାର ଗର୍ବ ତ୍ୟାଗ କରନ୍ତୁ । ସେ ଅର୍ଜୁନଙ୍କୁ ନିର୍ଦ୍ଦେଶ ଦେଉଛନ୍ତି ଯେ, ସେ ତାଙ୍କ କର୍ମ ମାଧ୍ୟମରେ କୌଣସି ପୂର୍ବନିର୍ଦ୍ଧାରିତ ଅଭିପ୍ରାୟର ପଶ୍ଚାତ୍‌ଧାବନ କରନ୍ତୁ ନାହିଁ କିମ୍ବା କର୍ମଫଳର କାରଣ ଭାବେ ନିଜକୁ ବିବେଚିତ କରନ୍ତୁ ନାହିଁ । ତଥାପି କର୍ମ ଯେତେବେଳେ ଆମ ଦ୍ୱାରା କରାଯାଉଛି, ସେହି କର୍ମଗୁଡ଼ିକର କର୍ତ୍ତା ଭାବରେ ଆମେ ନିଜକୁ କାହିଁକି ବିବେଚିତ କରିବୁ ନାହିଁ? ଏହାର କାରଣ ହେଲା ଆମର ଇନ୍ଦ୍ରୟ, ମନ ଓ ବୁଦ୍ଧି ଜଡ଼ ଅଟନ୍ତି; ଭଗବାନ ତାଙ୍କ ଶକ୍ତି ଦ୍ୱାରା ସେମାନଙ୍କୁ ଶକ୍ତିଯୁକ୍ତ କରି ଆମର ତତ୍ୱାବଧାନରେ ଦିଅନ୍ତି । ଫଳସ୍ୱରୂପ, ତାଙ୍କ ପ୍ରଦତ୍ତ ଶକ୍ତି ଦ୍ୱାରା ହିଁ ଆମେ କୌଣସି କର୍ମ କରିବାରେ ସକ୍ଷମ ହେଉ । ଉଦାହରଣ ସ୍ୱରୂପ, ରୋଷେଇଶାଳରେ ଥିବା ଚିମୁଟାଟିଏ ନିଜେ ନିଷ୍କ୍ରିୟ ଅଟେ, କିନ୍ତୁ କୌଣସି ବ୍ୟକ୍ତିର ହାତ ଦ୍ୱାରା ଶକ୍ତି ପ୍ରାପ୍ତ ହୋଇ ଜଳ୍ୱନ୍ତ କୋଇଲାକୁ ଉଠାଇବା ପରି କଷ୍ଟ ସାଧ୍ୟ କାର୍ଯ୍ୟ କରିବାରେ ମଧ୍ୟ ସକ୍ଷମ ହୋଇଥାଏ । ଆମେ ଯଦି ଚିମୁଟାକୁ କର୍ମର କର୍ତ୍ତା ବୋଲି କହିବା, ତାହା ଠିକ୍ ହେବ ନାହିଁ । ଯଦି ହାତ ତାକୁ ଶକ୍ତି ପ୍ରଦାନ କରି ନ ଥାନ୍ତା, ସେ ତାହା କରିବାକୁ ସକ୍ଷମ ହୋଇଥାନ୍ତା କି? ତାହା ରୋଷେଇଶାଳରେ ନିଷ୍କ୍ରିୟ ଭାବେ ପଡ଼ି ରହିଥାନ୍ତା । ସେହିପରି, ଭଗବାନ ଯଦି ଆମର ଶରୀର-ମନ-ଆତ୍ମାକୁ ତାଙ୍କର ଶକ୍ତି ପ୍ରଦାନ କରି ନ ଥା’ନ୍ତେ ତେବେ ଆମେ କିଛି କରିପାରନ୍ତେ ନାହିଁ । ତେଣୁ ଆମର ସମସ୍ତ କର୍ମ ପାଇଁ ଶକ୍ତିର ଉତ୍ସ ଭଗବାନ ହିଁ ଅଟନ୍ତି, ଏହିପରି ମନେକରି ଆମେ କର୍ତ୍ତାପଣର ଅହଂକାର ତ୍ୟାଗ କରିବା ଉଚିତ ।

ଏହି ସମସ୍ତ ବିଚାର ନିମ୍ନୋକ୍ତ ଲୋକପ୍ରିୟ ସଂସ୍କୃତ ଶ୍ଳୋକରେ ସୁନ୍ଦର ଭାବରେ ଚିତ୍ରଣ କରାଯାଇଛି:

ଯତ୍‌କୃତଂ ଯତ୍‌କରିଷ୍ୟାମି ତତ୍‌ସର୍ବଂ ନ ମୟା କୃତମ୍‌
ତ୍ୱୟା କୃତଂ ତୁ ଫଳଭୁକ୍ ତ୍ୱମେବ ମଧୁସୂଦନ ।

“ମୁଁ ଯାହାବି ହାସଲ କରିଛି ଓ କରିବାକୁ ଚାହୁଁଛି, ମୁଁ ସେସବୁର କର୍ତ୍ତା ନୁହେଁ । ହେ ମଧୂସୁଦନ ତୁମେ ହିଁ ପ୍ରକୃତ କର୍ତ୍ତା ଅଟ ଏବଂ ସମସ୍ତ ଫଳର ଉପଭୋକ୍ତା ତୁମେ ହିଁ ଅଟ ।”

ନିଷ୍କ୍ରିୟତା ଭାବ ପୋଷଣ କର ନାହିଁ । ଯଦିଓ କର୍ମ କରିବା ସମସ୍ତ ପ୍ରାଣୀଙ୍କର ସ୍ୱଭାବ ଅଟେ, ତଥାପି ଅନେକ ସମୟରେ ଏପରି ପରିସ୍ଥିିତି ଉପୁଜିଥାଏ ଯେତେବେଳେ କର୍ମ ବୋଝସଦୃଶ ଓ ବିଭ୍ରାନ୍ତିକର ମନେ ହୁଏ । ସେପରି କ୍ଷେତ୍ରରେ, ଶ୍ରୀକୃଷ୍ଣ ଅଜୁର୍ନଙ୍କୁ ଯାହା ଉପଦେଶ ଦେଇଛନ୍ତି, କର୍ମ ଠାରୁ ଦୂରେଇ ନ ଯାଇ କର୍ମର ବିଜ୍ଞାନ ବୁଝି ତାହାକୁ ପାଳନ କରିବା ଉଚିତ । କିନ୍ତୁ କର୍ମକୁ କଷ୍ଟସାଧ୍ୟ ଏବଂ ବୋଝ ମନେକରି ନିଷ୍କ୍ରିୟ ହୋଇଯିବା ଆଦୌ ଉଚିତ୍ ନୁହେଁ । ନିଷ୍କ୍ରିୟତା କେବେ ବି ସମାଧାନର ପନ୍ଥା ନୁହେଁ, ସେଥିପାଇଁ ଶ୍ରୀକୃଷ୍ଣ ଏହାର ନିନ୍ଦା କରିଛନ୍ତି ।

Bookmark this Verse

Sign in to save your favorite verses.

Add a Note
Swami Mukundananda
2. ସାଂଖ୍ୟ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!