Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 3, Verse 33

ସଦୃଶଂ ଚେଷ୍ଟତେ ସ୍ୱସ୍ୟାଃ ପ୍ରକୃତେର୍ଜ୍ଞାନବାନପି
ପ୍ରକୃତିଂ ଯାନ୍ତି ଭୂତାନି ନିଗ୍ରହଃ କିଂ କରିଷ୍ୟତି ।। ୩୩ ।।

ସଦୃଶଂ - ଏହିପରି ଭାବରେ; ଚେଷ୍ଟତେ - ଚେଷ୍ଟାକରେ; ସ୍ୱସ୍ୟାଃ - ନିଜ ସ୍ୱଭାବ ବା ପ୍ରକୃତି ଅନୁଯାୟୀ; ପ୍ରକୃତେଃ - ପ୍ରାକୃତିକ ଗୁଣ; ଜ୍ଞାନବାନ - ଜ୍ଞାନୀ; ଅପି - ଯଦିଓ; ପ୍ରକୃତି - ପ୍ରକୃତି; ଯାନ୍ତି- ଅନୁସରଣ କରିବା; ଭୂତାନି - ସମସ୍ତ ଜୀବ; ନିଗ୍ରହଃ - ଦମନ; କିଂ - କ’ଣ; କରିଷ୍ୟତି - କରିପାରେ ।

Translation

BG 3.33: ସମସ୍ତ ପ୍ରାଣୀ ନିଜର ସ୍ୱାଭାବିକ ପ୍ରକୃତି ଅନୁସାରେ ପରିଚାଳିତ ହୁଅନ୍ତି, ତେଣୁ ଜ୍ଞାନୀମାନେ ମଧ୍ୟ ସେମାନଙ୍କର ସ୍ୱଭାବ ଅନୁଯାୟୀ କାର୍ଯ୍ୟ କରିଥାଆନ୍ତି । ସେ କ୍ଷେତ୍ରରେ ଜଣେ ଇନ୍ଦ୍ରିୟ-ନିଗ୍ରହ ଦ୍ୱାରା କ’ଣ କରିପାରିବ?

Commentary

ଶ୍ରୀକୃଷ୍ଣ ପୁନଶ୍ଚ ପୁର୍ବ ପ୍ରସଙ୍ଗକୁ ଫେରିଆସି କହୁଛନ୍ତି ଯେ ଅକର୍ମଣ୍ୟତା ଠାରୁ କର୍ମ ଶ୍ରେଷ୍ଠ ଅଟେ । ନିଜ ସ୍ୱଭାବରେ ପ୍ରେରିତ ହୋଇ, ମନୁଷ୍ୟ ନିଜର ଗୁଣ ଅନୁସାରେ କର୍ମ କରିବାକୁ ଆଗ୍ରହୀ ହୋଇଥାଏ । ଏପରିକି ତତ୍ତ୍ୱଜ୍ଞାନୀମାନେ ମଧ୍ୟ ନିଜ ସହିତ ସେମାନଙ୍କର ଅନନ୍ତ ପୂର୍ବ ଜନ୍ମର ସଂସ୍କାର (ସ୍ୱଭାବ ଓ ଧାରଣା), ବର୍ତ୍ତମାନ ଜନ୍ନର ପ୍ରାରବ୍ଧ କର୍ମ, ଏବଂ ମନ ବୁଦ୍ଧିର ପ୍ରବୃତ୍ତିକୁ ବହନ କରିଥାନ୍ତି । ଅଭ୍ୟାସ ଓ ସ୍ୱଭାବର ପ୍ରତିରୋଧ କରିବାରେ ସେମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ  ପଡିଥାଏ । ବୈଦିକ ଶାସ୍ତ୍ରମାନେ ଯଦି ସେମାନଙ୍କୁ ସମସ୍ତ କର୍ମ ତ୍ୟାଗ କରି କେବଳ ଅଧ୍ୟାତ୍ମିକ ମାର୍ଗରେ ଯିବା ପାଇଁ ନିର୍ଦ୍ଦେଶ  ଦିଅନ୍ତି, ତେବେ ତାହା ଏକ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି କରିବ । ଏହି ଅସ୍ୱାଭାବିକ ନିଗ୍ରହର ଫଳ ପ୍ରତିକୂଳ ହେବ । ଆଧ୍ୟାତ୍ମିକ ପ୍ରଗତି ନିମନ୍ତେ ସଠିକ ଏବଂ ସହଜ ମାର୍ଗ ହେଉଛି ଅଭ୍ୟାସ ଓ ସ୍ୱଭାବର ପ୍ରବଳ ଶକ୍ତିକୁ ଉପଯୋଗ କରି, ଧୀରେ ଧୀରେ ଭଗବତ୍ ମାର୍ଗରେ ଅଗ୍ରସର ହେବା । ଆମେ ଯେଉଁ ସ୍ଥିତିରେ ରହିଛୁ, ସେହି ଠାରୁ ହିଁ ଆମର ଆଧ୍ୟାତ୍ମିକ ଯାତ୍ରା ଆରମ୍ଭ  ହେବା ଉଚିତ୍ ଏବଂ ସେଥିପାଇଁ ସର୍ବପ୍ରଥମେ ଆମକୁ ନିଜର ବର୍ତ୍ତମାନ ସ୍ଥିତିକୁ ସ୍ୱୀକାର କରି ସେଥିରେ ସୁଧାର ଆଣିବାକୁ ପଡିବ ।

ଆମ୍ଭମାନେ ଲକ୍ଷ୍ୟ କଲେ ଦେଖିପାରିବା କିପରି ଇତର ପ୍ରାଣୀମାନେ ମଧ୍ୟ ନିଜର ସ୍ୱତନ୍ତ୍ର ସ୍ୱଭାବ ଅନୁସାରେ ଆଚରଣ କରିଥାନ୍ତି ।  ପିମ୍ପୁଡିମାନେ ଏପରି  ସାମାଜିକ ପ୍ରାଣୀ  ଅଟନ୍ତି ଯେ ସେମାନେ ନିଜେ ତ୍ୟାଗ କରି ସେମାନଙ୍କର ଗୋଷ୍ଠି ପାଇଁ ଖାଦ୍ୟ ବହନ କରି ଆଣନ୍ତି; ଏପରି ଗୁଣ ମାନବସମାଜରେ ମଧ୍ୟ ଦେଖିବାକୁ ମିଳି ନ ଥାଏ । ଗୋଟିଏ ଗାଈର ତା ବାଛୁରି ପ୍ରତି ଏତେ ଆସକ୍ତି ଯେ ବାଛୁରୀଟି ତାର ଆଖି ଅଢୁଆଳକୁ ଚାଲିଯିବା ମାତ୍ରେ ସେ ବିଚଳିତ ହୋଇଉଠେ । କୁକୁରର ବିଶ୍ୱସନୀୟତା ଏତେ ପ୍ରଗାଢ ଯେ ତାହା କୌଣସି ଉତ୍ତମ ମନୁଷ୍ୟଠାରେ ମଧ୍ୟ ଦେଖିବାକୁ ମିଳି ନ ଥାଏ ।  ସେହିପରି ଆମେ ସବୁ ମନୁଷ୍ୟ ମଧ୍ୟ ନିଜର ସ୍ୱଭାବ ଅନୁସାରେ କର୍ମ କରିବାକୁ ପ୍ରେରିତ ହୋଇଥାଏ । ଯେହେତୁ ଅର୍ଜୁନ ସ୍ୱଭାବତଃ ଜଣେ ଯୋଦ୍ଧା ଥିଲେ, ।  ଶ୍ରୀକୃଷ୍ଣ ତାଙ୍କୁ କହୁଛନ୍ତି -  “ତୁମର କ୍ଷତ୍ରିୟ ସ୍ୱଭାବ ତୁମକୁ ଯୁଦ୍ଧ କରିବାକୁ ବାଧ୍ୟ କରିବ”(ଭଗବତ୍ ଗୀତା ୧୮.୫୯) । “ତୁମର ସହଜାତ ପ୍ରବୃତ୍ତି ଅନୁଯାୟୀ ତୁମେ ତାହା କରିବାକୁ ବାଧ୍ୟ ହେବ”(ଭଗବତ୍ ଗୀତା ୧୮.୬୦) । ସେହି ସ୍ୱଭାବକୁ ପରିଶୁଦ୍ଧ କରିବା ପାଇଁ ଆମକୁ ସଂସାରିକ ସୁଖ ଭୋଗ ପରିବର୍ତ୍ତେ ଭଗବତ୍ ପ୍ରାପ୍ତିକୁ ନିଜର ଲକ୍ଷ୍ୟ ଭାବରେ ଗ୍ରହଣ କରିବାକୁ ପଡିବ ଏବଂ ରାଗ-ଦ୍ୱେଷ ରହିତ ହୋଇ ନିଜର କର୍ତ୍ତବ୍ୟ କର୍ମକୁ ଭଗବାନଙ୍କର ସେବା ଭାବରେ କରିବାକୁ ପଡିବ ।

Bookmark this Verse

Sign in to save your favorite verses.

Add a Note
Swami Mukundananda
3. କର୍ମ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!