Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 4, Verse 9

ଜନ୍ମ କର୍ମ ଚ ମେ ଦିବ୍ୟମେବଂ ଯୋ ବେତ୍ତି ତତ୍ତ୍ୱତଃ ।
ତ୍ୟକ୍ତ୍ୱା ଦେହଂ ପୁନର୍ଜନ୍ମ ନୈତି ମାମେତି ସୋଽର୍ଜୁନ ।।୯।।

ଜନ୍ମ- ଉତ୍ପତ୍ତି; କର୍ମ- କାର୍ଯ୍ୟ; ଚ- ଏବଂ; ମେ- ମୋର; ଦିବ୍ୟଂ- ଦିବ୍ୟ; ଏବଂ -ଏହିପରି; ଯଃ- ଯିଏ; ବେତ୍ତି - ଜାଣେ; ତତ୍ତ୍ୱତଃ - ଯଥାର୍ଥଭାବରେ; ତ୍ୟକ୍ତ୍ୱା - ତ୍ୟାଗକରି; ଦେହଂ - ଏହି ଶରୀର; ପୁନଃ - ପୁନର୍ବାର; ଜନ୍ମ-ଜନ୍ମ; ନ ଏତି- ପ୍ରାପ୍ତ ହୁଏନାହିଁ; ମାମ୍ - ମୋତେ; ଏତି - ପ୍ରାପ୍ତହୁଏ; ସଃ- ସେ; ଅର୍ଜୁନ - ହେ ଅର୍ଜୁନ ।

Translation

BG 4.9: ଯେଉଁମାନେ ମୋର ଜନ୍ମ ଓ କର୍ମର ଦିବ୍ୟତାକୁ ବୁଝିପାରନ୍ତି, ହେ ଅର୍ଜୁନ! ସେମାନେ ଶରୀର ତ୍ୟାଗ ପରେ, ପୁନର୍ବାର ଜନ୍ମ ଗ୍ରହଣ ନକରି, ମୋର ଦିବ୍ୟଧାମକୁ ଆସିଥାନ୍ତି ।

Commentary

ଏହି ଶ୍ଲୋକକୁ ପୂର୍ବବର୍ତ୍ତୀ ଶ୍ଲୋକ ପ୍ରସଙ୍ଗରେ ବୁଝିବାକୁ ହେବ । ଆମର ମନ ଭଗବାନଙ୍କର ଭକ୍ତିଯୁକ୍ତ ସ୍ମରଣରେ ଶୁଦ୍ଧ ହୋଇଥାଏ । ଏହି  ଭକ୍ତି ତାଙ୍କର ନିରାକାର ସ୍ୱରୂପ ବା ସାକାର ସ୍ୱରୂପ ପ୍ରତି ହୋଇପାରେ । ନିରାକାର ବ୍ରହ୍ମଙ୍କର ଭକ୍ତି ଅନେକ ବ୍ୟକ୍ତିଙ୍କ ପାଇଁ ଦୁର୍ବୋଧ ଓ ଅସ୍ପଷ୍ଟ ହୋଇଥାଏ । ସେମାନେ ଧ୍ୟାନ କରିବାକୁ ବା ନିଜକୁ ତାଙ୍କ ସହିତ ଯୋଡ଼ିବାକୁ କୌଣସି ଆଧାର ପାଆନ୍ତି ନାହିଁ । ସାକାର ରୂପର ଧ୍ୟାନ କରିବା ସ୍ପଷ୍ଟ ଓ ସରଳ ଅଟେ । ଏହିପରି ଭକ୍ତିରେ ଭଗବାନଙ୍କ ସ୍ୱରୂପ ପ୍ରତି ଦିବ୍ୟଭାବ ପୋଷଣ କରିବା ଆବଶ୍ୟକ । ବ୍ୟକ୍ତି ବିଶେଷକୁ ଶ୍ରୀକୃଷ୍ଣ ଭକ୍ତି କରିବାକୁ ହେଲେ, ତାଙ୍କର ନାମ, ରୂପ, ଲୀଳା, ଗୁଣ, ଧାମ ଓ ପରିକରଙ୍କ ପ୍ରତି ଦିବ୍ୟ ଭାବନା ଉତ୍ପନ୍ନ କରିବାକୁ ପଡ଼ିବ । ଉଦାହରଣ ସ୍ୱରୂପ, ଲୋକେ ପଥର ମୂର୍ତ୍ତିରେ ଏହି ଦିବ୍ୟ ଭାବନା ରଖନ୍ତି ଯେ ଏଥିରେ ଭଗବାନ ଅଛନ୍ତି ଏବଂ ତାଙ୍କର ଉପାସନା କରି ନିଜର ମନକୁ ପବିତ୍ର କରିଥାନ୍ତି । ଏହି ମନୋଭାବ ହିଁ ଭକ୍ତର ହୃଦୟକୁ ପବିତ୍ର କରିଥାଏ । ଆଦି ଜନକ ମନୁ କହନ୍ତି:

ନ କାଷ୍ଠେ ବିଦ୍ୟତେ ଦେବୋ ନ ଶିଳାୟାଂ ନ ମୃତ୍ସୁ ଚ
ଭାବେ ହି ବିଦ୍ୟତେ ଦେବସ୍ତସ୍ମାତ୍‌ଭାବଂ ସମାଚରେତ୍

“ଭଗବାନ କାଠ ବା ପଥରରେ ବାସ କରନ୍ତି ନାହିଁ, ସେ ଭକ୍ତିଯୁକ୍ତ ହୃଦୟରେ ନିବାସ କରନ୍ତି, ତେଣୁ ମୂର୍ତ୍ତିର ଉପାସନା ପ୍ରେମଯୁକ୍ତ ଭାବନାରେ କର ।”

ସେହିପରି, ଆମେ ଯଦି ଶ୍ରୀକୃଷ୍ଣ ଭକ୍ତି କରିବାକୁ ଇଚ୍ଛା କରୁଥାଏ, ତେବେ ଆମେ ତାଙ୍କର ଲୀଳାଗୁଡ଼ିକ ପ୍ରତି ଦିବ୍ୟ ଭାବନା ରଖିବାକୁ ଶିଖିବା ଉଚିତ । ଯେଉଁ ଭାଷ୍ୟକାରମାନେ ମହାଭାରତ ଓ ଭଗବଦ୍ ଗୀତାର କେବଳ ରୂପକାତ୍ମକ ବିଶ୍ଳେଷଣ କରିଥା’ନ୍ତି, ସେମାନେ ଶ୍ରୀକୃଷ୍ଣଙ୍କ ପ୍ରତି ଲୋକମାନଙ୍କର ବିଶ୍ୱାସ ଭଙ୍ଗ କରି ସେମାନଙ୍କ ପ୍ରତି ଅନ୍ୟାୟ କରିଥାନ୍ତି । ଏହି ଶ୍ଲୋକରେ, ଭଗବାନଙ୍କର ଲୀଳା ଗୁଡ଼ିକରେ ଦିବ୍ୟ ଭାବନା ଉତ୍ପନ୍ନ କରିବାର ଆବଶ୍ୟକତା ପ୍ରତି ଶ୍ରୀକୃଷ୍ଣ ଗୁରୁତ୍ୱାରୋପଣ କରିଛନ୍ତି ଯାହା ଆମର ଭକ୍ତିକୁ ସୁଦୃଢ଼ କରିବ ।

ଏହିପରି ଦିବ୍ୟ ଭାବନା ବିକଶିତ କରିବା ପାଇଁ, ପ୍ରଥମେ ଆମେ ଭଗବାନଙ୍କର କ୍ରିୟା ଓ ଆମ୍ଭମାନଙ୍କର କ୍ରିୟା ମଧ୍ୟରେ ପାର୍ଥକ୍ୟ ବୁଝିବା ଉଚିତ୍ । ଆମ୍ଭେମାନେ ମାୟାବଦ୍ଧ ଅଟେ ଏବଂ ଏ ପର୍ଯ୍ୟନ୍ତ ଦିବ୍ୟପ୍ରେମ ପ୍ରାପ୍ତ କରି ନ ଥିବା ଯୋଗୁଁ ଆମ ଆତ୍ମାର ଲାଳସା ତୃପ୍ତ ହୋଇନାହିଁ । ସେଥିପାଇଁ ଆମର ସମସ୍ତ କାର୍ଯ୍ୟ ସ୍ୱାର୍ଥଯୁକ୍ତ ତଥା ବ୍ୟକ୍ତିଗତ ଉଦ୍ଦେଶ୍ୟ ପୂରଣ ପାଇଁ ଉଦ୍ଦିଷ୍ଟ ହୋଇଥାଏ । କିନ୍ତୁ ଭଗବାନଙ୍କ କ୍ରିୟାରେ କୌଣସି ବ୍ୟକ୍ତିଗତ ସ୍ୱାର୍ଥ ନ ଥାଏ । କାରଣ ସେ ପୂର୍ଣ୍ଣ ତୃପ୍ତ ଏବଂ ସ୍ୱୟଂ ଅନନ୍ତ ଆନନ୍ଦ ଅଟନ୍ତି । କୌଣସି କାର୍ଯ୍ୟ ଦ୍ୱାରା ଅଧିକ ଆନନ୍ଦ ପ୍ରାପ୍ତ କରିବାର ଆବଶ୍ୟକତା ତାଙ୍କର ନ ଥାଏ । ଅତଏବ, ସେ ଯାହା ବି କରନ୍ତି ତାହା ମାୟାବଦ୍ଧ ଜୀବର କଲ୍ୟାଣ ନିମନ୍ତେ ଉଦ୍ଦିଷ୍ଟ । ଭଗବାନଙ୍କର ଏହି ଦିବ୍ୟ କର୍ମକୁ “ଲୀଳା” କୁହାଯାଏ, ଅଥଚ ଆମେ କରୁଥିବା ସମସ୍ତ କର୍ମକୁ “କାର୍ଯ୍ୟ” କୁହାଯାଏ ।

ସେହିପରି, ଭଗବାନଙ୍କର ଜନ୍ମ ଦିବ୍ୟ ଅଟେ ଏବଂ ଆମ୍ଭମାନଙ୍କର ଜନ୍ମ ପରି ତାହା ମାତୃଗର୍ଭରୁ ଜାତ ହୋଇ ନ ଥାଏ । ଆନନ୍ଦମୟ ଭଗବାନଙ୍କ ପାଇଁ ମାତାଙ୍କ ଗର୍ଭରେ ଓଲଟା ଝୁଲିବାର ଆବଶ୍ୟକତା ନ ଥାଏ । ଭାଗବତ କହେ:

ତଂ ଅଦ୍ଭୁତଂ ବାଳକଂ ଅମ୍ବୁଜେକ୍ଷଣଂ
ଚତୁର୍ଭୁଜଂ ଶଙ୍ଖ ଗଦାଦ୍ୟୁଦାୟୁଧମ୍ । (୧୦.୩.୯)

“ଜନ୍ମ ସମୟରେ ଯେତେବେଳେ ଶ୍ରୀକୃଷ୍ଣ ବସୁଦେବ ଏବଂ ଦେବକୀଙ୍କ ସମ୍ମୁଖରେ ପ୍ରକଟିତ ହେଲେ, ସେ ଚତୁର୍ଭୁଜ ବିଷ୍ଣୁଙ୍କ ରୂପରେ ଥିଲେ ।” ଏହି ପୂର୍ଣ୍ଣ ରୂପ କେବେ ବି ଦେବକୀଙ୍କ ଗର୍ଭରେ ଅବସ୍ଥାପିତ ନ ଥିବ । କିନ୍ତୁ ସେ ଗର୍ଭ ଭିତରେ ଥିବାର ଅନୁଭବ ସୃଷ୍ଟି କରିବା ପାଇଁ ନିଜ ଯୋଗମାୟା ଶକ୍ତି ବଳରେ ଦେବକୀଙ୍କ ଗର୍ଭକୁ ସେ ଫୁଲାଇ ଦେଇଥିଲେ । କିନ୍ତୁ ଶେଷରେ, ବାହାରୁ ପ୍ରକଟ ହୋଇ ସୂଚିତ କଲେ ଯେ ସେ କେବେ ବି ଭିତରେ ନ ଥିଲେ ।

 ଆବିରାସୀଦ୍ ଯଥା ପ୍ରାଚ୍ୟାଂ ଦିଶୀନ୍ଦୁର୍ ଇବ ପୁଷ୍କଳଃ (ଭାଗବତମ୍ ୧୦.୩.୮)

“ରାତ୍ରୀ ଆକାଶରେ ଚନ୍ଦ୍ର ପୂର୍ଣ୍ଣ ବିକଶିତ ରୂପରେ ଉଦୟ ହେବା ପରି ପରଂବ୍ରହ୍ମ ଶ୍ରୀକୃଷ୍ଣ ଦେବକୀ ଓ ବସୁଦେବଙ୍କ ସମ୍ମୁଖରେ ଆବିର୍ଭୂତ ହେଲେ ।” ଏହା ଭଗବାନଙ୍କ ଜନ୍ମର ଦିବ୍ୟ ରହସ୍ୟ ଅଟେ । ଯଦି ଆମେ ତାଙ୍କର ଲୀଳା ଓ ଜନ୍ମ ପ୍ରତି ଦିବ୍ୟ ଭାବନା ଉତ୍ପନ୍ନ କରିପାରିବା,  ତାହେଲେ ଆମେ ଅତି ସହଜରେ ତାଙ୍କ ସାକାର ରୂପର ଭକ୍ତି କରି ଆମର ଚରମ ଲକ୍ଷ୍ୟ ପ୍ରାପ୍ତ କରିପାରିବା ।

Bookmark this Verse

Sign in to save your favorite verses.

Add a Note
Swami Mukundananda
4. ଜ୍ଞାନ କର୍ମ ସନ୍ନ୍ୟାସ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!