Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 6, Verse 2

ଯଂ ସଂନ୍ୟାସମିତି ପ୍ରାହୁର୍ଯୋଗଂ ତଂ ବିଦ୍ଧି ପାଣ୍ଡବ ।
ନ ହ୍ୟସଂନ୍ୟସ୍ତସଂକଳ୍ପୋ ଯୋଗୀ ଭବତି କଶ୍ଚନ ।।୨।।

ଯଂ -ଯାହାକୁ; ସଂନ୍ୟାସଂ- ସନ୍ୟାସ; ଇତି- ଏହିପରି; ପ୍ରାହୁଃ - ସେମାନେ କହନ୍ତି; ଯୋଗଂ -ଭଗବାନଙ୍କ ସହ ଯୁକ୍ତ ହେବା; ତଂ-ତାହାକୁ; ବିଦ୍ଧି- ତୁମେ ଜାଣିରଖ; ପାଣ୍ଡବ - ହେ ପାଣ୍ଡୁପୁତ୍ର; ନ- କେବେ ନୁହେଁ; ହି - ନିଶ୍ଚିତଭାବେ; ଅସଂନ୍ୟସ୍ତ - ତ୍ୟାଗବିିନା; ସଂକଳ୍ପଃ - କାମନା; ଯୋଗୀ -ଯୋଗୀ; ଭବତି - ହୁଏ; କଶ୍ଚନ - କେହି ।

Translation

BG 6.2: ଯାହାକୁ ସନ୍ୟାସ କୁହାଯାଏ, ତାହା ଯୋଗଠାରୁ ଭିନ୍ନ ନୁହେଁ, କାରଣ କେହି ମଧ୍ୟ ସାଂସାରିକ କାମନା ତ୍ୟାଗ ନ କରି ଯୋଗୀ ହୋଇପାରିବେ ନାହିଁ ।

Commentary

ସନ୍ୟାସୀ ସେ ଅଟନ୍ତି, ଯିଏ ମନ ଏବଂ ଇନ୍ଦ୍ରିୟର ସୁଖକୁ ତ୍ୟାଗ କରିଥାଆନ୍ତି । କିନ୍ତୁ କେବଳ ତ୍ୟାଗ କରିବା ଲକ୍ଷ୍ୟ ନୁହେଁ ବା ଲକ୍ଷ୍ୟପ୍ରାପ୍ତି ପାଇଁ ମଧ୍ୟ ତାହା ଯଥେଷ୍ଟ ନୁହେଁ । ସନ୍ୟାସର ତାତ୍ପର୍ଯ୍ୟ ଭୁଲ ଦିଗରେ ଆମର ଦୌଡକୁ ବନ୍ଦ କରିଦେବା । ସଂସାରରେ ଆନନ୍ଦର ଅନ୍ୱେଷଣ କରି ଆମେ ବୁଝିପାରିଲେ ଯେ ମାୟିକ ସୁଖରେ ଆନନ୍ଦ ନାହିଁ, ତେଣୁ ଆମେ ସଂସାର ଅଭିମୁଖରେ ଦୌଡ଼ିବା ବନ୍ଦ କରିଦେଲେ । କିନ୍ତୁ କେବଳ ବନ୍ଦ କରିଦେବା ଦ୍ୱାରା ଲକ୍ଷ୍ୟପ୍ରାପ୍ତ ହୋଇ ଯାଏନାହିଁ । ଜୀବର ଲକ୍ଷ୍ୟ ହେଉଛି ଭଗବତ୍ ପ୍ରାପ୍ତି । ଭଗବାନଙ୍କ ଅଭିମୁଖରେ ଅଗ୍ରସର ହେବାର ପ୍ରକ୍ରିୟା ହିଁ (ମନକୁ ତାଙ୍କ ଆଡକୁ ନେଇଯିବା) ଯୋଗର ପଥ ଅଟେ । ଜୀବନର ଲକ୍ଷ୍ୟ ସମ୍ପର୍କରେ ଯାହାର ପୂର୍ଣ୍ଣଜ୍ଞାନ ନ ଥାଏ, ସେ ତ୍ୟାଗକୁ ହିଁ ଆଧ୍ୟାତ୍ମିକତାର ଚରମ ଲକ୍ଷ୍ୟ ଭାବିଥାଏ । ଯେଉଁମାନେ ଜୀବନର ଲକ୍ଷ୍ୟକୁ ବାସ୍ତବରେ ବୁଝିଥାଆନ୍ତି, ସେମାନେ ଭଗବତ୍ ପ୍ରାପ୍ତିକୁ ହିଁ ଆଧ୍ୟାତ୍ମିକ ପଥର ଅନ୍ତିମ ଲକ୍ଷ୍ୟ ରୂପେ ବିବେଚନା କରିଥାଆନ୍ତି ।

ଶ୍ଲୋକ ୫.୪ର ଭାବାର୍ଥରେ ବର୍ଣ୍ଣନା କରାଯାଇଛି ଯେ ବୈରାଗ୍ୟ ବା ତ୍ୟାଗ ଦୁଇ ପ୍ରକାରର ଅଟେ: ‘ଫଲ୍‌ଗୁ ବୈରାଗ୍ୟ’ ଏବଂ ‘ଯୁକ୍ତ ବୈରାଗ୍ୟ’ । ଫଲ୍‌ଗୁ ବୈରାଗ୍ୟରେ ସମସ୍ତ ସାଂସାରିକ ବସ୍ତୁକୁ ମାୟିକ ମନେକରି ସେସବୁର ତ୍ୟାଗ କରାଯାଇଥାଏ କାରଣ ସେମାନେ ଆଧ୍ୟାତ୍ମିକ ପ୍ରଗତିରେ ବାଧକ ଅଟନ୍ତି । ଯୁକ୍ତ ବୈରାଗ୍ୟରେ ସାଂସାରିକ ସମସ୍ତ ବସ୍ତୁକୁ ଭଗବାନଙ୍କର ମନେକରି ସେଗୁଡ଼ିକୁ ଭଗବାନଙ୍କ ସେବାରେ ଉପଯୋଗ କରାଯାଇଥାଏ । ପ୍ରଥମ ପ୍ରକାରର ତ୍ୟାଗରେ ଜଣେ କହିପାରନ୍ତି “ଧନ ତ୍ୟାଗ କର । ତା’କୁ ସ୍ପର୍ଶ କର ନାହିଁ । ଏହା ମାୟାର ସ୍ୱରୂପ ଅଟେ ଏବଂ ଏହା ଆଧ୍ୟାତ୍ମିକ ମାର୍ଗରେ ବାଧା ଉତ୍ପନ୍ନ କରିଥାଏ ।” ଦ୍ୱିତୀୟ ପ୍ରକାରର ତ୍ୟାଗରେ ଜଣେ ଏପରି ବିବେଚନା କରେ ଯେ “ଧନ ମଧ୍ୟ ଭଗବାନଙ୍କର ଏକ ଶକ୍ତି ଅଟେ; ତାହାକୁ ନଷ୍ଟ କର ନାହିଁ ବା ଫିଙ୍ଗି ଦିଅ ନାହିଁ, ତୁମ ପାଖରେ ଯେତିକି ଧନ ଅଛି ତାହାକୁ ଭଗବାନଙ୍କ ସେବାରେ ଉପଯୋଗ କର ।”

ଫଲ୍‌ଗୁ ବୈରାଗ୍ୟ ଅସ୍ଥାୟୀ ଅଟେ ଏବଂ ଏହା ସହଜରେ ସଂସାର ଆସକ୍ତିକୁ ପ୍ରତ୍ୟାବର୍ତ୍ତନ କରିଥାଏ । ଭାରତର ବିହାର ରାଜ୍ୟର ଗୟା ନିକଟସ୍ଥ ଫଲ୍‌ଗୁ ନଦୀର ନାମ ଅନୁସାରେ ଏହି ବୈରାଗ୍ୟର ନାମକରଣ କରାଯାଇଛି । ଫଲ୍‌ଗୁ ନଦୀଟି, ନଦୀଶଯ୍ୟାର ନିମ୍ନଦେଶରେ ପ୍ରବାହିତ । ଉପରୁ ଦେଖିଲେ ମନେହୁଏ ସତେ ଯେପରି ନଦୀଟି ଜଳଶୂନ୍ୟ । କିନ୍ତୁ ଅଳ୍ପ କେତେ ଫୁଟ ଖୋଳିବା ପରେ ଜଳସ୍ରୋତର ପ୍ରବାହ ଦେଖିବାକୁ ମିଳିଥାଏ । ସେହିପରି ଅନେକ ବ୍ୟକ୍ତି ସଂସାର ତ୍ୟାଗ କରି ଆଶ୍ରମ ଇତ୍ୟାଦିରେ ରହିବାକୁ ଯାଆନ୍ତି । କିନ୍ତୁ ସେଠାକୁ ଯାଇ ସେମାନେ ଅନୁଭବ କରିଥାଆନ୍ତି ଯେ ସେମାନଙ୍କର ବୈରାଗ୍ୟ ଅନ୍ତର୍ଦ୍ଧାନ ହୋଇ ଯାଇଛି ଏବଂ ସେମାନଙ୍କର ମନ ପୁନର୍ବାର ସଂସାରରେ ଲିପ୍ତ ହୋଇଯାଉଛି । ସେମାନଙ୍କର ଏହି ବୈରାଗ୍ୟ ଫଲ୍‌ଗୁ ବୈରାଗ୍ୟ ଥିଲା । ସଂସାରକୁ ଜଞ୍ଜାଳମୟ ଏବଂ ଦୁଃଖପୂର୍ଣ୍ଣ ମନେ କରି ସେମାନେ ସେଥିରୁ ମୁକ୍ତି ପାଇବାର ଆଶାରେ ଆଶ୍ରମ ଇତ୍ୟାଦିରେ ଆଶ୍ରୟ ଲୋଡିଥାଆନ୍ତି । କିନ୍ତୁ ସେମାନେ ଯେତେବେଳେ ଅଧ୍ୟାତ୍ମିକ ଜୀବନକୁ ମଧ୍ୟ କଷ୍ଟସାଧ୍ୟ ଏବଂ ବିକଟ ଅନୁଭବ କରନ୍ତି, ସେତେବୋଳ ସେମାନେ ଆଧ୍ୟାତ୍ମିକତା ଠାରୁ ମଧ୍ୟ ବିମୁଖ ହୋଇଯାଆନ୍ତି । ଅନ୍ୟ କେହି କେହି ଭଗବାନଙ୍କ ସହିତ ସ୍ନେହପୂର୍ଣ୍ଣ (ଭକ୍ତି) ସମ୍ପର୍କ ସ୍ଥାପନ କରିଥାଆନ୍ତି । ଭଗବାନଙ୍କ ସେବା କରିବାର କାମନା ନେଇ ସେମାନେ ସଂସାର ତ୍ୟାଗ କରି ଆଶ୍ରମରେ ବାସ କରନ୍ତି । ସେମାନଙ୍କର ବୈରାଗ୍ୟ ଯୁକ୍ତ ବୈରାଗ୍ୟ ଅଟେ । କେତେ ଅସୁବିଧାର ସମ୍ମୁଖୀନ ହେଲେ ମଧ୍ୟ ସେମାନେ ନିଜର ଯାତ୍ରା ଅବ୍ୟାହତ ରଖିଥାଆନ୍ତି ।

ଶ୍ଲୋକର ପ୍ରଥମ ପଂକ୍ତିରେ ଶ୍ରୀକୃଷ୍ଣ କହୁଛନ୍ତି ଯେ ଜଣେ ବାସ୍ତବିକ ସନ୍ୟାସୀ ଜଣେ ଯୋଗୀ ଅଟନ୍ତି, ଯିଏ ପ୍ରେମଯୁକ୍ତ ସେବା ଭାବନାରେ  ନିଜର ମନକୁ, ଭଗବାନଙ୍କ ସହିତ ସଂଲଗ୍ନ ରଖିଥାଆନ୍ତି । ଦ୍ୱିତୀୟ ପଂକ୍ତିରେ ଶ୍ରୀକୃଷ୍ଣ କହୁଛନ୍ତି ଯେ ଜଣେ ସାଂସାରିକ କାମନା ତ୍ୟାଗ ନ କରି, ଯୋଗୀ ହୋଇପାରିବ ନାହିଁ । ମନରେ ଯଦି ସଂସାରର କାମନା ଥିବ ତା’ହେଲେ ସ୍ୱାଭାବିକ ଭାବରେ ସେ (ମନ) ସଂସାର ଅଭିମୁଖୀ ହେବ । ଯେହେତୁ ମନକୁ ହିଁ ଭଗବାନ ସହିତ ଯୋଗ କରିବାକୁ ପଡିଥାଏ, ତେଣୁ ସଂସାରିକ କାମନାରୁ ମୁକ୍ତ ହେଲେ ହିଁ ଏହା ସମ୍ଭବ ହୋଇପାରିବ । ସୁତରାଂ, ଜଣେ ଯୋଗୀ ହେବା ପାଇଁ ଅନ୍ତରରୁ ସନ୍ୟାସୀ ହେବାକୁ ପଡ଼ିବ ଏବଂ ଜଣେ ସନ୍ନ୍ୟାସୀ ହେବା ପାଇଁ ଯୋଗୀ ହେବାକୁ ପଡ଼ିବ ।

Bookmark this Verse

Sign in to save your favorite verses.

Add a Note
Swami Mukundananda
6. ଧ୍ୟାନ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!